ଭୁବନେଶ୍ବର: ଆସିଲାଣି ପାର୍ବଣ ସମୟ । ଆଉ କିଛି ଦିନ ପରେ ଆସୁଛି ଦୁର୍ଗାପୂଜା | ଏଥିପାଇଁ ସଜେଇ ହେଉଛି ରୌପ୍ୟ ସହର କଟକ। ତେବେ ପାର୍ବଣ ପାଇଁ କଟକରେ ଲାଗିଛି କଟକଣା । ପାର୍ବଣକୁ ସୁରକ୍ଷିତ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲାଗିଛି କଟକଣା। ଚଳିତ ମାସ ୨୭ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ କଟକ ଜିଲ୍ଲାରେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ବିଭିନ୍ନ ପୂଜା ପାଳନ ସମୟରେ ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଆଦି ସମୟରେ ଡିଜେ ଏବଂ ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ସିଷ୍ଟମକୁ ବାରଣ କରାଯାଇଛି । ଏଥିସହ ଫାୟାର ଗନ ଏବଂ ଅନ୍ୟ ନିଆଁ ବାହାରୁଥିବା ଉପକରଣ ଓ ଲେଜର ଲାଇଟ୍ କୌଣସି ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଏବଂ ବାଲିଯାତ୍ରା ଉତ୍ସବ ସମୟରେ ବ୍ୟବହାର କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଶବ୍ଦ କରୁଥିବା ବାଣ, ପାର୍ବଣ ଓ ବାଲିଯାତ୍ରାରେ ଫୁଟାଇବାକୁ ବାରଣ କରାଯାଇଛି। କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଥାନାର ଆଇଆଇସିମାନେ ଏହି ନିୟମକୁ କଡାକଡି ଲାଗୁ କରିବାକୁ କୁହାଯାଇଛି । ଏହାର ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
81