ଭୁବନେଶ୍ବର: ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ଅତ୍ୟାଧୁନିକ ‘ବନ୍ଦେ ଭାରତ’ ଭାରତ ଏକ୍ସପ୍ରେସ୍ । ଏହି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁଇଟି ଟ୍ରେନ ମଧ୍ୟରୁ ଗୋଟିଏ ବ୍ରହ୍ମପୁରରୁ ଟାଟାନଗରକୁ ଏବଂ ଅନ୍ୟଟି ରାଉରକେଲାରୁ ହାୱଡ଼ା ଅଭିମୁଖେ ଯାତାୟାତ କରିବ । ଏହି ଅବସରରେ ପ୍ରତି ଭାରତୀୟଙ୍କୁ ଅତ୍ୟାଧୁନିକ ଓ ସୁଗମ ଟ୍ରେନ୍ ବ୍ୟବସ୍ଥା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଏ ପ୍ରୟାସ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଓଡ଼ିଶାର ଦୁଇଟି ବନ୍ଦେ ଭାରତ ସମେତ ମୋଟ ୬ଟି ବନ୍ଦେ ଭାରତର ଶୁଭାରମ୍ଭ କରିଛନ୍ତି ମୋଦି । ମୋଟ୍ ୬୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ଟ୍ରାକରେ ଦୌଡ଼ିଛି । ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଉରକେଲାରେ ରାଜ୍ୟପାଳ ରଘୁବର ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବ୍ରହ୍ମପୁରରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଟ୍ରେନ୍ ଗଡ଼ିବା ପୂର୍ବରୁ ବ୍ରହ୍ମପୁରର ମାଆ ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରଣୀଙ୍କ ପାଖରୁ ଆଜ୍ଞାମାଳ ଓ ପରେ ପ୍ରସିଦ୍ଧ ଗଜା ମୁଆଁ ବି ଭୋଗ ସ୍ବରୁପ ପହଞ୍ଚିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଏଥିରେ ବସି ଯାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।