76

୧୦୦ ଦିନର ଉପଲବ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କଲା ଭାଜପା

ଭୁବନେଶ୍ୱର: ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାଠାରୁ ଆରମ୍ଭ କରି ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସିଏମ୍ କିଶାନ ଯୋଜନାରେ ଶୁଭାରମ୍ଭ କରାଯାଇ ୪୬ ଲକ୍ଷର ଊର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଛି । ୫୮ ସବ୍ଡିଭିଜନରେ ଶୀତଳ ଭଣ୍ଡାର ଖୋଲିବାକୁ ନିଷ୍ପତି ହୋଇଛି । ମହିଳମାନଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଏବଂ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ୨୦୦କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ମାତ୍ର ୧୦୦ ଦିନର ଏହି ଉପଲବ୍ଧିକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହା ବ୍ୟତୀତ “ସଦସ୍ୟତା ଅଭିଯାନ-୨୦୨୪” ଏବଂ ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଆଗମନ ସଂପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସାଧାରଣ ସଂପାଦକ ମାନସ ମହାନ୍ତି, ମନ୍ତ୍ରୀ ଓ ବିଧାୟକମାନେ ପ୍ରମୁଖ ଯୋଗ ଦେଇଥିଲେ ।

ବୈଠକ ପ୍ରସଙ୍ଗରେ ସୁଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ସଦସ୍ୟତା ଅଭିଯାନକୁ କିପରି ବ୍ୟାପକ କରାଯିବ ସେ ପ୍ରସଙ୍ଗରେ ବୈଠକରେ ଗୁରତ୍ୱାରୋପ କରାଯାଇଛି । ପ୍ରତି ବିଧାନସଭା କ୍ଷେତ୍ରରେ ଯେପରି ୧ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ସଂଗ୍ରହ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସହରଠାରୁ ଆରମ୍ଭ କରି ବ୍ଲକ, ପଂଚାୟତ, ଗ୍ରାମସ୍ତରରେ କିପରି ଅଧିକ ଅଧିକ ସଦସ୍ୟ ବିଜେପିରେ ସାମିଲ ହେବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୧୭ରେ ତାଙ୍କ ଜନ୍ମଦିନରେ ଓଡ଼ିଶା ଆସିବେ । ଏହି ସମୟରେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ କରାଯାଇଥିବା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତି ୱାର୍ଡରୁ, ପ୍ରତି ଗାଁରୁ ଯେପରି ମା’ଓ ଭଉଣୀମାନେ ଆସି ଯୋଗଦେବେ ଏବଂ ଏହି ଯୋଜନାରେ କିପରି ଅଧିକ ମହିଳାମାନେ ସାମିଲ ହୋଇ ଲାଭବାନ ହୋଇପାରିବେ ସେ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଧାୟକମାନେ ନିଜସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ଲୋକମାନଙ୍କ ପାଖରେ ପହଂଚାଇବାକୁ ନିଷ୍ପତି ହୋଇଛି । ନିର୍ବାଚନ ବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ବିଜେପି କିପରି ପୂରଣ କରୁଛି, ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ଏବଂ ଏହା ତ୍ରୁଣମୂଳସ୍ତରରେ କିପରି ପହଂଚିବ ସେବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଯିବ ବୋଲି ଡା.ମହାଲିଙ୍ଗ କହିଛନ୍ତି ।

Spread the love