ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ସଭାପତି ତୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। କ୍ରୀଡ଼ା ଓ ଭିତ୍ତିଭୂମିର ବିକାଶ ସହ ଓଡ଼ିଶାରେ ଆଗାମୀ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ହକି ଇଣ୍ଡଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ ଓ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପୁରୁଷ ହକି ବିଶ୍ବକପ୍ ଆୟୋଜନ ବେଳେ ଏଫ୍ଆଇଏଚ୍ ର ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଥିଲେ ଯେ ‘‘ଓଡ଼ିଶା ଏବେ ହକିର ଗ୍ଲୋବାଲ୍ ହବ୍ ହୋଇଛି। ଆମେ ଅନେକ ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିଛୁ। ଆଗାମୀ ପ୍ରୋ ଲିଗ୍ ହକି ଆୟୋଜନ ଲାଗି ଉତ୍ସାହିତ ଅଛୁ। ଆପଣଙ୍କ ସହଯୋଗରେ ଆଗାମୀ ଦିନରେ ରାଜ୍ୟରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିପାରିବୁ’’। ଏହି ବୈଠକରେ ଏଫ୍ଆଇଏଚ୍ ଓ ଓଡ଼ିଶା ସରକାର ସହଯୋଗ ନେଇ ଆଲୋଚନା ହୋଇଥିଲା। ଏଥିସହ ଉଭୟ ପକ୍ଷ ଖେଳାଳି ଓ ପ୍ରଶିକ୍ଷକଙ୍କ ଲାଭ ଲାଗି ଆଥ୍ଲେଟ୍ ବିକାଶ, କ୍ରୀଡ଼ା ବିଜ୍ଞାନ ଓ ଅଭିନବ ଅଭ୍ୟାସ ନେଇ ମତବ୍ୟକ୍ତ କରିଥିଲେ। ଓଡ଼ିଶା ଓ ଭାରତରେ ମହିଳା ହକିର ବିକାଶ ସହ ମହିଳା ଆଥ୍ଲେଟ୍ଙ୍କୁ ସଶକ୍ତ କରିବା ଲାଗି ଗୁରୁତ୍ବ ଦେଇଥିଲେ। ତୃଣମୂଳ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ହକି ବିକାଶ ଲାଗି ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଇକ୍ରାମ ପ୍ରଶଂସା କରିବା ସହ କହିଥିଲେ ଯେ ‘‘ଏଫ୍ଆଇଏଚ୍ ଓ ଓଡ଼ିଶା ମିଳିତ ଭାବେ ଭବିଷ୍ୟତରେ ସାରା ବିଶ୍ୱରେ ହକି ବିକାଶରେ ପ୍ରମୁଖ ଭୂମିକା ତୁଲାଇବେ’’। ଆଜି ସକାଳେ ଇକ୍ରାମ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ବିଭାଗ, ଓଡ଼ିଶା ହକି ସଂଘ ଓ ହକି ଇଣ୍ଡିଆର କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିଥିଲେ।
27