କଟକ: କଟକ ସଦର ସୋମପୁର-କିଶୋରନଗର ପୂର୍ତ୍ତ ବିଭାଗ ରାସ୍ତାର ତେଲଦିଆ ସୁକ ପାଇକା ପୋଲ ସଂଯୋଗୀକରଣ ରାସ୍ତା ସୁରକ୍ଷା କାନ୍ଥ ବାଲିବସ୍ତା ପାଲଟି ଥିବା ନେଇ ଖବର ଆମ ଚାନେଲ ମାଧ୍ୟମ ରେ ପ୍ରକାଶ ପାଇଥିଲା। ଠିକାଦାର ସୁରକ୍ଷା କାନ୍ଥ ନିର୍ମାଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ଏହି ଅସ୍ଥାୟୀ ବ୍ୟବସ୍ଥା କରାଯାଇଥିବା ସେତେବେଳେ ପୂର୍ତ୍ତ ବିଭାଗର ଏସଡିଓ ସଫେଇ ଦେଇଥିଲେ।ଯାହାକୁ ନେଇ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ଠିକାଦାରଙ୍କ ଚୁକ୍ତି ବାତିଲ ପାଇଁ ନୋଟିସ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ପୋଲ ସଂଯୋଗୀକରଣ ରାସ୍ତାର ସୁରକ୍ଷା କାନ୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନା ମୁତାବକ ସୁରକ୍ଷା କାନ୍ଥ ଓ ସଂଯୋଗୀକରଣ ରାସ୍ତା ନକରି ଗତବର୍ଷ ଜୁଲାଇ ଶେଷ ସପ୍ତାହରେ ଏହି ନବ ନିର୍ମିତ ପୋଲକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଖୋଲି ଦିଆଯାଇଥିଲା।ସୁରକ୍ଷା କାନ୍ଥ ନଥିବାରୁ ଲୋକେ ଯାତାୟାତ କରୁଥିବା ପୁରୁଣା ରାସ୍ତାର ମାଟି (ପୋଲର ଚାରି କୋଣର) ଧସି ଯାଇ ପୋଲଟି ବିପଦ ସଂକୁଳ ହୋଇ ପଡ଼ିଥିଲା।ଏନେଇ ବାରମ୍ବାର ଅଭିଯୋଗ ପରେ ଗତବର୍ଷ ଦୁର୍ଗାପୂଜା ପୂର୍ବରୁ ବାଲିବସ୍ତା ଥୋଇ ରାସ୍ତାର ଧସି ଯାଇଥିବା ଅଂଶକୁ ମରାମତି କରାଯାଇଥିଲା।ସୁକ ପାଇକା ପାଣି କମିଲେ ସୁରକ୍ଷା କାନ୍ଥ ଓ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯିବ ବୋଲି ପୂର୍ତ୍ତ ବିଭାଗର ଅଧିକାରୀ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ।ତେବେ ସେଠାରେ ସୁରକ୍ଷା କାନ୍ଥ ନିର୍ମାଣ କରାଯାଇନଥିଲା।ଜରି ବସ୍ତା ଫାଟିବାରୁ ପୋଲର ୪କୋଣ ପୁନର୍ବାର ଧସି ଯାଇ ପୋଲକୁ ବିପଦ ସଂକୁଳ କରିଦେଇଥିଲା। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ପୁନର୍ବାର ବାଲି ବସ୍ତା ଥୋଇ ପୂର୍ତ୍ତ ବିଭାଗ ତାଙ୍କ ଦାଇତ୍ଵ ସାରି ଦେବାକୁ ବସିଥିଲା।
143