145

ଖୋର୍ଦ୍ଧା ଏସ୍‌ପିଙ୍କ ଦ୍ୱାରା ଗୃହରକ୍ଷୀ ବିଦ୍ୟାଧର ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍‌ପି କାର୍ଯ୍ୟାଳୟରେ ବୁଧବାର ଅପରାହ୍ନରେ ଗୃହରକ୍ଷୀ ବିଦ୍ୟାଧର ସେଠୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପୁରୁଷୋତ୍ତମଦାସ ଶ୍ରୀ ସେଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ବାଣପୁର ଥାନା ଅନ୍ତର୍ଗତ ବାଲିଡିହ ଗ୍ରାମରେ ୧୯୬୬ ମସିହାରେ ଜନ୍ମିତ ବିଦ୍ୟାଧର ସେଠୀ ୧୯୯୫ ମସିହାରେ ଓଡ଼ିଶା ଗୃହରକ୍ଷୀ ବାହିନୀରେ ଯୋଗଦାନ କରିଥିଲେ। ଦୀର୍ଘ ୩୦ ବର୍ଷର ସେବା ଜୀବନରେ ସେ ଜଣେ ଶୃଙ୍ଖଳିତ, ସମୟାନୁବର୍ତ୍ତୀ, ସଚ୍ଚୋଟ ଓ କର୍ମନିଷ୍ଠ ଗୃହରକ୍ଷୀ ଭାବେ ନିଜ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇଥିଲେ।

ତାଙ୍କର ଦୀର୍ଘ ଓ ନିଷ୍ଠାପର ସେବାକୁ ସମ୍ମାନ ଜଣାଇ ଖୋର୍ଦ୍ଧା ଏସ୍‌ପି କାର୍ଯ୍ୟାଳୟ ପକ୍ଷରୁ ଏହି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଭାବବିହ୍ୱଳ ହୋଇ ଶ୍ରୀ ସେଠୀ ତାଙ୍କ କର୍ମମୟ ଜୀବନର ବିଭିନ୍ନ ସ୍ମୃତି ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ। ଏଥିସହ ସେ “ନିଷ୍ଠାପର ସେବା ହିଁ ପ୍ରକୃତ ଧର୍ମ” ବୋଲି କହିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ, ଗୃହରକ୍ଷୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ସେଠୀଙ୍କୁ ଅବସର ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

Spread the love