କନ୍ଧମାଳ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡ଼ିଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବାତ୍ୟାର ଭୟାବହ ପ୍ରଭାବ। ଲଗାଣ ବର୍ଷା ଯୋଗୁଁ ନଦୀ ଓ ଜଳାଶୟର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଅନେକ ସ୍ଥାନରେ ଯାତାୟାତକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି।
ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ସେହିପରି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ମଧ୍ୟ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି।
ଅନ୍ୟପକ୍ଷରେ, ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଡାକପାଲା ଡ୍ୟାମ୍ ଓ ବିସିପଡ଼ା ନଦୀର ଦୃଶ୍ୟ ଚର୍ଚ୍ଚାକୁ ଆସିଛି। ଜଳସ୍ତର ବୃଦ୍ଧି ପାଇବାରୁ ଡାକପାଲା ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ସ୍ଥାନୀୟ ଲୋକେ ଯାତାୟାତ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସେହିପରି ଘୁ.ଉଦୟଗିରି ବ୍ଲକ୍ର କତିଙ୍ଗିଆ ପଞ୍ଚାୟତରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ, ବିସିପଡ଼ା ନଦୀର ବଢ଼ିପାଣି ଓ ପ୍ରବଳ ସ୍ରୋତ ଦେଖିବାକୁ ଯାଇଥିବା କିଛି ଲୋକ ମହୁମାଛି ଆକ୍ରମଣର ଶିକାର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି।
ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ଲୋକଙ୍କ ଚିନ୍ତା ବଢ଼ାଇଛି। ତେବେ ବଢ଼ିପାଣି ଓ ପ୍ରବଳ ସ୍ରୋତ ଥିବା ନଦୀ ନିକଟକୁ ନଯିବା ସହ ପ୍ରଶାସନର ସତର୍କତାମୂଳକ ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।