ରାୟଗଡ଼ା: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବାତ୍ୟା ଓ ଏହାର ପ୍ରଭାବରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିର ମୁକାବିଲା ସହ ଲୋକଙ୍କ ସୁରକ୍ଷା ଓ ଆଶ୍ରୟସ୍ଥଳରେ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ମୁଟୁକୁଣି ଗ୍ରାମରୁ ସ୍ଥାନାନ୍ତରିତ ହୋଇ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଉପଲବ୍ଧ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ୨୬ ଜଣ ଆଶ୍ରିତଙ୍କୁ ଶୁଖିଲା ରାସନ ପ୍ୟାକେଟ୍ ବଣ୍ଟନ କରିଥିଲେ।
ଆଶ୍ରୟସ୍ଥଳରେ ପ୍ରସ୍ତୁତ ଖାଦ୍ୟର ମାନ ଯାଞ୍ଚ କରିବା ସହ ଆଶ୍ରିତଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ। ଏଥିସହ ଆଶ୍ରୟସ୍ଥଳରେ ଥିବା ଶିଶୁମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କ ସହ କଥା ହୋଇଥିଲେ।
ଏହାପରେ ମୁଟୁକୁଣି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି, ସ୍ଥିତି ଓ ଅଙ୍ଗନବାଡ଼ି କର୍ମୀଙ୍କ ଉପଲବ୍ଧତା ସମ୍ପର୍କରେ ସିଡିପିଓଙ୍କ ସହ ଆଲୋଚନା କରିଥିଲେ।
ପରେ ଉପମୁଖ୍ୟମନ୍ତ୍ରୀ ହରଭଙ୍ଗୀ ଜଳସେଚନ ଡିଭିଜନ ଅନ୍ତର୍ଗତ ବଡ଼ନାଳ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ସେଠାରେ ଜଳଭଣ୍ଡାରର ବର୍ତ୍ତମାନର ଜଳସ୍ତର ଓ ସମ୍ଭାବ୍ୟ ବାତ୍ୟାଜନିତ ବର୍ଷା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହ ଜଳଭଣ୍ଡାର ନିକଟରେ ଏକ ନିରୀକ୍ଷଣ ବଙ୍ଗଳା ନିର୍ମାଣ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ସମୟରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଆଶ୍ରିତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ଏହି ଗସ୍ତରେ ଗୁରୁତ୍ୱ ଦିଆଯାଇଥିଲା।