91

ଓଏସଏସଏସସି ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା !

ଭୁବନେଶ୍ୱର: ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ ବା ଓଏସଏସଏସସି ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ଅଭିଯୋଗ । ଅନଲାଇନ୍ ପରୀକ୍ଷାର ମେରିଟ୍ ଲିଷ୍ଟ ବାତିଲ ସହ ଆଉ ଥରେ ଅଫଲାଇନ୍ ପରୀକ୍ଷା କରାଇବାକୁ ହୋଇଛି ଜୋରଦାର ଦାବି । ଏହି ଦାବିରେ ଓଏସଏସଏସସି କାର୍ଯ୍ୟାଳୟ ଆଗରେ ଆଶାୟୀଙ୍କ ବିଶାଳ ବିକ୍ଷୋଭ। ଏହି ନିଯୁକ୍ତି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଆନ୍ଦୋଳନକାରୀଙ୍କ ଅଭିଯୋଗ ଯେ, ଗତ ୩ ତାରିଖରେ ପ୍ରକାଶିତ ଫାଇନାଲ ମେରିଟ୍ ଲିଷ୍ଟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ପରୀକ୍ଷା, ଫଳ ପ୍ରକାଶନ ଓ ପ୍ରାର୍ଥୀ ଚୟନରେ ହୋଇଛି ବ୍ୟାପକ ଅନିୟମିତତା। ଏମାନଙ୍କ ଅଭିଯୋଗ, ଗତବର୍ଷ ଅନୁଷ୍ଠିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରୀକ୍ଷାରେ ଯେଉଁମାନେ ମାଇନସ୍ ମାର୍କ ରଖିଥିଲେ, ସେହିମାନଙ୍କ ଭିତରୁ ୩୦ରୁ ଅଧିକ ପରିକ୍ଷାର୍ଥୀଙ୍କୁ ମେରିଟ୍ ଲିଷ୍ଟରେ ସ୍ଥାନ ମିଳିଛି। ତେଣୁ ୟା ପଛରେ କିଛି ରାକେଟ୍ କାମ କରିଥିବା ସନ୍ଦେହ କରୁଛନ୍ତି ଆନ୍ଦୋଳନକାରୀ ପରୀକ୍ଷାର୍ଥୀ। ସେପଟେ ଓଏସଏସଏସସିର ସଂପାଦକ ଦୀର୍ଘ ବର୍ଷ ଧରି ଗାଦି ମାଡ଼ି ବସିଥିବାରୁ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।

ଓଏସଏସଏସସି ପକ୍ଷରୁ ଗତ ବର୍ଷ ଅକ୍ଟୋବର ମାସରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା। ଆଉ ଏଇ ମାସ ୩ ତାରିଖରେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା । ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ମାତ୍ରେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ବିବାଦ ପଛର କାରଣ ଥିଲା ଗତବର୍ଷର ପିଇଓ ପରୀକ୍ଷା ଓ ନିକଟରେ ପ୍ରକାଶିତ ଓଏସଏସଏସସି କଂବାଇନ୍ଡ୍ ଏକ୍ଜାମିନେସନ୍ ଗ୍ରୁପ-C ରେଜଲ୍ଟର ତୁଳନାତ୍ମକ ତଥ୍ୟ। ସୂଚନା ଅନୁସାରେ ଗଜପତି ଜିଲ୍ଲାର ଜଣେ ପ୍ରାର୍ଥୀ ପିଇଓ ପରୀକ୍ଷାରେ ୧୮୦ରୁ ରଖିଥିଲେ ମାଇନସ୍ ୭। କିନ୍ତୁ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାରେ ୧୫୦ରୁ ରଖିଛନ୍ତି ୧୦୦। ସେମିତି ଆଉ ଜଣେ ପ୍ରାର୍ଥୀ ପିଇଓ ପରୀକ୍ଷାରେ ରଖିଥିଲେ ୯.୫ ପ୍ରତିଶତ ମାର୍କ। ଆଉ ଫରେଷ୍ଟ ଗାର୍ଡ ପରୀକ୍ଷାରେ ପାଇଛନ୍ତି ୯୯.୯୮୪ ପ୍ରତିଶତ । ପିଇଓରେ ମାଇନସ୍ ସ୍କୋରର ପ୍ରାର୍ଥୀ ଗ୍ରୁପ-ସି ରେ କେମିତି ଟପ୍ ସ୍କୋରର ହେଲେ, ସେନେଇ ପ୍ରଶ୍ନ ଉଠାଇଛନ୍ତି ବହୁ ପରୀକ୍ଷାର୍ଥୀ। ଏପରିକି ନିଜ ଏକାଡେମିକ୍ କ୍ୟାରିୟରରେ ଦୁର୍ବଳ ପ୍ରଦର୍ଶନ କରିଥିବା ପିଲା ମଧ୍ୟ ଟପ୍ ସ୍କୋରର ତାଲିକାରେ ଥିବାରୁ ଏହାକୁ ନେଇ ବଢ଼ିଛି ସନ୍ଦେହ । ଓଏସଏସଏସସି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଉ ଆନ୍ଦୋଳନ ପରେ ଏହି ପରୀକ୍ଷାକୁ ପୁନର୍ବାର ଅଫ ଲାଇନରେ କରିବା ଦାବିର ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ। ସେ ଘଟଣାରେ ଏଯାଏଁ ନିରବ ରହିଛନ୍ତି ଓଏସଏସଏସସି କର୍ତ୍ତୃପକ୍ଷ।

Spread the love