113

ବାତ୍ୟା ‘ମୁରାସୁ’ ପ୍ରଭାବ ଆଶଙ୍କା: କନ୍ଧମାଳ ଜିଲ୍ଲାରେ ୩ ଓ ୪ ତାରିଖ ଦୁଇଦିନ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ି ବନ୍ଦ!

କନ୍ଧମାଳ: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦୁଇଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷାଦାନ ଓ ସାଧାରଣ କାର୍ଯ୍ୟକଳାପ ବନ୍ଦ ରହିବ। ଏହି ଦୁଇଦିନ କୌଣସି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ। ସମ୍ଭାବ୍ୟ ବାତ୍ୟା ଜନିତ ବିପଦ ଓ ଅସୁରକ୍ଷିତ ପାଣିପାଗ ପରିସ୍ଥିତିରୁ ଶିଶୁ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ।

ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଛି। ସେମାନେ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି ବାତ୍ୟା ଜନିତ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବେ। ଏଥିସହିତ ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ଜରୁରୀ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସହଯୋଗ କରିବେ।

ବାତ୍ୟା ସମୟରେ ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏଭଳି ଆଗୁଆ ପଦକ୍ଷେପ ନେଇଛି। ଏହାସହ ଜିଲ୍ଲାବାସୀଙ୍କୁ ପ୍ରଶାସନର ପରାମର୍ଶ ମାନିବା, ଅଯଥାରେ ଘରୁ ବାହାରକୁ ନଯିବା ଏବଂ ବାତ୍ୟା ସମ୍ପର୍କିତ ସରକାରୀ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ସଜାଗ ରହିଥିବାବେଳେ ଜନସାଧାରଣଙ୍କ ସହଯୋଗ ଓ ସତର୍କତା ହିଁ ବିପଦର ମୁକାବିଲାରେ ସହାୟକ ହେବ।

Spread the love