27

ପୋଲିସ ପୋଷାକ ପଛରେ ମା’ର ମମତା: କଅଁଳ ଶିଶୁକୁ କୋଳକୁ ନେଇ ଜୀବନ ବଞ୍ଚାଇଲେ ଆଇଆଇସି ଶ୍ରଦ୍ଧା ନାୟକ

ଖୋର୍ଦ୍ଧା: ପୋଲିସ ପୋଷାକ ଭିତରେ ଲୁଚି ରହିଛି ଜଣେ ମା’ର ମମତା। କର୍ତ୍ତବ୍ୟ ଓ ମାନବିକତାର ଏକ ନିଆରା ଉଦାହରଣ ପାଲଟିଛନ୍ତି ବାଲୁଗାଁ ଥାନା ଆଇଆଇସି ଶ୍ରଦ୍ଧା ନାୟକ। ରାସ୍ତାକଡ଼ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଜଣେ କଅଁଳ ଶିଶୁକୁ ନିଜ କୋଳକୁ ନେଇ ଉଦ୍ଧାର କରିବା ସହ ତା’ର ଜୀବନ ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି ସେ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କଲ୍ୟାଣ ମଣ୍ଡପ ସମ୍ମୁଖରେ ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କ ନିକଟରେ ଥିଲା ମାତ୍ର ୩ରୁ ୪ ମାସର ଏକ କଅଁଳ ଶିଶୁ। ମା’ଙ୍କ ଏଭଳି ଅବସ୍ଥାରେ ଶିଶୁଟି ଅସହାୟ ଭାବେ କାନ୍ଦୁଥିଲା।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ ବାଲୁଗାଁ ଥାନା ଆଇଆଇସି ଶ୍ରଦ୍ଧା ନାୟକ। ଘଟଣା ଦେଖିବା ମାତ୍ରେ ସେ ତୁରନ୍ତ ଅଟକି ଯାଇଥିଲେ। ପୋଲିସ ଅଧିକାରୀ ଭାବେ ନିଜ କର୍ତ୍ତବ୍ୟ ତୁଲାଇବା ସହ ଜଣେ ମା’ ଭାବେ ଶିଶୁଟିକୁ ନିଜ କୋଳକୁ ଉଠାଇ ନେଇଥିଲେ। ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଉଭୟ ମହିଳା ଓ ଶିଶୁଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଇଥିଲେ।

ଏହି ସମୟରେ ଥାନାର ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଖାକି ପୋଷାକ ପିନ୍ଧିଥିଲେ ମଧ୍ୟ ମାନବିକତା ଓ ମାତୃତ୍ୱର ପରିଚୟ ଦେଇଛନ୍ତି ଆଇଆଇସି ଶ୍ରଦ୍ଧା ନାୟକ। ତାଙ୍କର ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ବାଲୁଗାଁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

Spread the love