13

ଦୀପାବଳିରେ ମକା ମଞ୍ଜିରୁ ଫୁଟିବ ‘ବାଲି ଫୁଲ’!

ରାୟଗଡା:ପାରମ୍ପରିକ ରୀତିନୀତି ଓ ଲୋକସଂସ୍କୃତିର ନିଆରା ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ଲକ୍ଷ୍ମୀପୁର ଡମ୍ ସମ୍ପ୍ରଦାୟର ଲୋକେ। ଦିୱାଲୀ ପର୍ବ ପାଳନ ପାଇଁ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ନିକଟସ୍ଥ ନଦୀରୁ ବାଲି ଆଣି ସେଥିରେ ମକା ମଞ୍ଜି ବୁଣିବାର ଏକ ନିଆରା ପରମ୍ପରା ରହିଛି। ଏହି ବାଲିରୁ ଉଠୁଥିବା ଗଛ ଓ ଫୁଲକୁ ‘ବାଲି ଫୁଲ’ କୁହାଯାଏ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାସ୍ଥିତ ଡମ୍ ସାହିରେ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁସାରେ ଶନିବାର ସକାଳୁ ମହିଳା, ପୁରୁଷ, ଯୁବକ ଓ ଯୁବତୀମାନେ ସ୍ନାନ ସାରି ନିକଟସ୍ଥ ଚଞ୍ଚଡା ନଦୀକୁ ଯାଇଥିଲେ। ସେଠାରେ ପାରମ୍ପରିକ ରୀତି ଅନୁସାରେ ନଦୀ ଗର୍ଭରୁ ବାଲି ସଂଗ୍ରହ କରିଥିଲେ। ନୂଆ ବାଉଁଶ ଚାଙ୍ଗୁଡ଼ିରେ ବାଲି ଭର୍ତ୍ତି କରି ସମସ୍ତେ ଗାଁରେ ନିର୍ମିତ ମଣ୍ଡପରେ ଏକାଠି ହୋଇଥିଲେ।

ପରେ ପ୍ରତ୍ୟେକ ଚାଙ୍ଗୁଡ଼ିରେ ମକା ମଞ୍ଜି ବୁଣି ନିଜ ନିଜ ଘରକୁ ଫେରିଥିଲେ। ଆସନ୍ତା ୯ ତାରିଖରେ ପାଳନ ହେବାକୁ ଥିବା ଦିୱାଲୀ ପର୍ବରେ ଏହି ବାଲିରୁ ଉଠିଥିବା ଫୁଲକୁ ଧାରଣ କରି ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସର ସହ ପର୍ବ ପାଳନ କରିବେ।

ସାଧାରଣତଃ ଦିୱାଲୀ ପାଳନର ଗୋଟିଏ ଦିନ ପରେ ଏହି ସମ୍ପ୍ରଦାୟର ଲୋକେ ଏହି ନିଆରା ପର୍ବ ପାଳନ କରିଥାନ୍ତି। ତେବେ ଚଳିତ ବର୍ଷଠାରୁ ଲକ୍ଷ୍ମୀପୁର ଡମ୍ ସମ୍ପ୍ରଦାୟର ଲୋକେ ଏକଜୁଟ ହୋଇ ପୂର୍ବପୁରୁଷଙ୍କ ରୀତିନୀତି ଓ ପରମ୍ପରା ଅନୁସାରେ ଏହି ପର୍ବକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନେଇ ଆୟୋଜକ ରଞ୍ଜନ ସୁଚେନ, ଖୋଗପତି ଖରା, ସନ୍ତୋଷ ବାଘ, ଗଦାଧର ବିଡିକା, ପ୍ରସନ୍ନ ଖୋସ୍ଲା, ବିଭୂତି ଖରା, ଅକୁର ବିଡିକା, ବସନ୍ତ କୁମାର ହିଆଲ, ହରି ବାଘ, ତରୁଣ ଗରଡା ଓ କୌଶିକ ଖରା ସୂଚନା ଦେଇଛନ୍ତି |

Spread the love