100

ବାତ୍ୟା ରାତିରେ ପୋଲିସ ଆରାମରେ ବାଣପୁର ପୋଲିସ, ଲୁଟେରା ଲୁଟିଲେ କୋଟିଏ!

ଖୋର୍ଦ୍ଧା: ଥାନା ସାମ୍ନାରେ ବି ସୁରକ୍ଷିତ ନୁହନ୍ତି ବ୍ୟବସାୟୀ। ବାଣପୁର ଥାନାର ଠିକ୍ ସାମ୍ନାରେ ବଜାର ମଧ୍ୟରେ ଥିବା ନିରଞ୍ଜନ ଜୁଏଲରୀ ଦୋକାନରୁ ଗତ ୨୭ ତାରିଖ ବାତ୍ୟା ରାତିରେ ବଡ଼ ଧରଣର ଲୁଟ୍ ହୋଇଛି। ଲୁଟେରାମାନେ ପାଖାପାଖି କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ନଗଦ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବର୍ଷା ପବନରେ ସମସ୍ତେ ଘରେ ଥିବା ବେଳେ ଲୁଟେରା ରଚିଥିଲେ ଲୁଟର ତାଣ୍ଡବ। ପ୍ରଥମେ ଦୋକାନ ପଛପଟେ ଥିବା ଏକ ଛତୁଆ ଗୋଦାମର କବାଟ ତାଲା ଭାଙ୍ଗି ଭିତରେ ପଶିଥିଲେ। ପରେ ଗୋଦାମରେ ଲାଗିଥିବା CCTV ତାର କାଟି ଦେଇ ସୁନା ଦୋକାନର ପଛପଟ କାନ୍ଥ କାଟି ଦୋକାନ ଭିତରେ ପଶିଥିଲେ। ଲୁଟ୍ ସାରି ପ୍ରମାଣ ନଷ୍ଟ କରିବା ପାଇଁ ଦୋକାନର ସମସ୍ତ CCTVର ହାର୍ଡଡିସ୍କ ବି ନେଇ ଯାଇଛନ୍ତି।

ତେବେ ଲୁଟେରା ଯେଉଁଭଳି ଯୋଜନାବଦ୍ଧ ଭାବେ କାଣ୍ଡ ଭିଆଇଛନ୍ତି, ଏହା କେବଳ ପେସାଦାର ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ହିଁ କରିପାରିବ ବୋଲି ସ୍ଥାନୀୟରେ ଚର୍ଚ୍ଚା ହେଉଛି। ସବୁଠୁ ବଡ଼ ପ୍ରଶ୍ନ ହେଉଛି ଥାନା ସାମ୍ନାରେ ଘଣ୍ଟା ଘଣ୍ଟା ଧରି କାନ୍ଥ କାଟି ଲୁଟ୍ ଚାଲିଥିଲା, ହେଲେ ରାତି ପାଟ୍ରୋଲିଂ କେଉଁଠି ଥିଲା? ବାତ୍ୟା ସମୟରେ ପୋଲିସ ପାଟ୍ରୋଲିଂ ବଢ଼ାଇବା କଥା, କିନ୍ତୁ ବାଣପୁର ପୋଲିସ କରୁଥିଲା କଣ ? ମାତ୍ର ୫୦ ମିଟର ଦୂରରେ ଡକାୟତି ହେଉଥିବା ବେଳେ ପୋଲିସ ଟେର୍ ପାଇଲା ନାହିଁ।ଯଦି ନିୟମିତ ପାଟ୍ରୋଲିଂ ହୋଇଥାନ୍ତା, ଏଭଳି କୋଟିଏ ଟଙ୍କାର ଲୁଟ୍ ରୋକାଯାଇ ପାରିଥାନ୍ତା ବୋଲି ଜଣାପଡିଛି।

ଏନେଇ ଦୋକାନ ମାଲିକ ନିରଞ୍ଜନ ପାତ୍ର ଗତ ୨୭ ତାରିଖ ଦିନ ବାଣପୁର ଥାନାରେ ଏତଲା ଦେଇଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା, କିନ୍ତୁ ଆଜିକୁ ୫ ଦିନ ହେଲାଣି ପୋଲିସ ନା ଚୋର ପାଖରେ ପହଞ୍ଚି ପାରିଛି ନା ଲୁଟ୍ ସାମଗ୍ରୀ ପାଇଛି। ଫଳରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ – ଥାନା ସାମ୍ନାରୁ ଯଦି କୋଟିଏ ଲୁଟ୍ ହେଉଛି, ତେବେ ଗାଁ ଗହଳିରେ ସୁରକ୍ଷା କେମିତି?

ଅନ୍ୟପଟେ ପୋଲିସ ଏବେ ଖୋଦ୍ ଦୋକାନ ମାଲିକଙ୍କୁ ସନ୍ଦେହ କରୁଛି। ମାଲିକ ନିଜେ ଚୋରି ନାଟକ ରଚିଛନ୍ତି କି ବୋଲି ତଦନ୍ତ ଚାଲିଛି। କିନ୍ତୁ ପରିବାର ଲୋକ କହିଛନ୍ତି, ପୋଲିସ ନିଜ ବିଫଳତା ଲୁଚାଇବା ପାଇଁ ମାଲିକ ଉପରେ ସନ୍ଦେହ କରୁଛି। ପାଟ୍ରୋଲିଂରେ ବିଫଳ ପୋଲିସ ଏବେ ନିରୀହ ବ୍ୟବସାୟୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।

Spread the love