କର୍ତବ୍ୟ ନ୍ୟୁଜ ବ୍ୟୁରୋ: ମୋହନ ସରକାରରେ ମନମାନୀ କରି ପାରିବେନି ସରକାରୀ ବାବୁ । ବିଧାୟକ ଓ ସାଂସଦଙ୍କ ଅଭିଯୋଗର ସମାଧାନ ଲାଗି ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ସବୁ ବିଭାଗରେ ସ୍ପେଶାଲ୍ ସେଲ୍ ଖୋଲିବ । ପୂର୍ବ ସରକାର ସମୟରେ ଅଲୋଡ଼ା ହୋଇପଡ଼ିଥିବା ବୁକ୍ ସର୍କୁଲାର-୪୭କୁ କଡ଼ାକଡ଼ି ପାଳନ କରିବାକୁ ସବୁ ବିଭାଗକୁ ନିର୍ଦେଶ ଦିଆଯାଇଛି । ସମ୍ପୃକ୍ତ ବିଭାଗ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଜିଲ୍ଲା-ବ୍ଲକସ୍ତରୀୟ ଅଫିସ୍ ମଧ୍ୟ ଚିଠି ଓ ସୁପାରିଶ ଉପରେ କ’ଣ ପଦକ୍ଷେପ ନେଇଛନ୍ତି, ପ୍ରତି ମାସ ୧୦ ତାରିଖରେ ବିଭାଗକୁ ଜଣାଇବେ । ଯାହାକୁ ସମ୍ପୃକ୍ତ ବିଭାଗ ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରତିମାସର ୧୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ପଠାଇବ । ମୁଖ୍ୟ ସଚିବ ନିଜେ ପ୍ରତିମାସର ୨୦ ତାରିଖରେ ଏହାର ସମୀକ୍ଷା କରିବେ । ଯେଉଁ ସବୁ ଚିଠି ଉପରେ କାର୍ଯାନୁଷ୍ଠାନ ନିଆଯାଇଛି ତାହା ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଏକ ସ୍ୱତନ୍ତ୍ର ରିପୋର୍ଟ ମାଧ୍ୟମରେ ବିଭାଗଗୁଡ଼ିକ ଜଣାଇବାକୁ କୁହାଯାଇଛି । ଯଦି ବୁକ୍ ସର୍କୁଲାର-୪୭ ଉଲ୍ଲଘଂନ ହୋଇଥିବାର କୌଣସି ପ୍ରମାଣ ମିଳେ ତା’ହେଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।
ଖାଲି ବିଧାୟକ- ସାଂସଦଙ୍କ ଚିଠି ଆଉ ସୁପାରିଶ ଉପରେ ପଦକ୍ଷେପ ନୁହେଁ, ବୁକ୍ ସର୍କୁଲାର-୪୭ର ପ୍ରାବଧାନ ଆଧାରରେ, ବିଧାୟକ ଓ ସାଂସଦମାନଙ୍କୁ ସରକାରୀ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେବାକୁ ବାଧ୍ୟ । ଯଦି କେହି ବିଧାୟକ ଓ ସାଂସଦ କୌଣସି ଅଫିସକୁ ଯାଉଛନ୍ତି ସମ୍ପୃକ୍ତ ଅଧିକାରୀ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ ଓ ବିଦାୟ ଜଣାଇବେ । ଯଦି ଫୋନ୍ କରିବେ ତାକୁ ମଧ୍ୟ ଗୁରୁତ୍ୱର ସହ ଶୁଣିବେ ଅବା ସଙ୍ଗେସଙ୍ଗେ କଲ୍ ବ୍ୟାକ୍ କରିବେ। ଯାହାକୁ ସେମାନେ ଏକ ରେଜିଷ୍ଟରରେ ପଞ୍ଜିକରଣ କରିବେ ଦର୍ଶାଇ ୨୦୦୫ର ଏକ ନିୟମାବଳୀକୁ ବିଭାଗ ଗୁଡିକୁ ପଠାଯାଇଛି। ଏହି ନିୟମ ଦ୍ୱାରା ଜନ ମଙ୍ଗଳକାରୀ ବିକାଶମୂଳକ କାର୍ଯ୍ୟକ୍ରମ ଗତିଶୀଳ ହେବା ସହ ପ୍ରଶାସନ କଳ ସହିତ ରାଜନେତାମାନଙ୍କର ଗଠନମୂଳକ ସଂପର୍କ ସମ୍ଭବ ବୋଲି କହିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ।
ବଡ଼ କଥା ହେଲା ବିଜେଡି ଶାସନ କାଳରେ ଅଘୋଷିତ ଭାବେ ବିଧାୟକ ଏବଂ ସାଂସଦମାନଙ୍କୁ ପାୱାରଲେସ୍ କରି ନିଜେ ଭି.କେ. ପାଣ୍ଡିଆନ କ୍ଷମତାକେନ୍ଦ୍ର ପାଲଟିଥିଲେ । ଏମିତିକି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ବେଳେ ବିଧାୟକ ସାଂସଦମାନଙ୍କୁ ଗୌଣ କରାଯିବା ସହ ବିଭିନ୍ନ ସମୟରେ ସେମାନଙ୍କୁ ଅପମାନିତ ହେବାକୁ ପଡ଼ୁଥିଲା । ନିର୍ବାଚିତ ଲୋକ ପ୍ରତିନିଧିଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ହଡ଼ପ କରିନିଆଯିବା ବିଷୟ ୨୪ ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଥିଲା । ତେବେ ମୋହନ ସରକାର ବୁକ୍ ସର୍କୁଲାର-୪୭କୁ କେତେ ସଫଳ କାର୍ଯ୍ୟକାରୀ କରୁଛନ୍ତି ତା ଉପରେ ନଜର ।