କର୍ତଵ୍ୟ ନ୍ୟୁଜ ବ୍ୟୁରୋ: ଆଠଗଡ଼ ବନଖଣ୍ଡ ତିଗିରିଆ ସେକ୍ସନରେ ହାତୀପଲ ଥିବା ବନ ବିଭାଗକୁ ମିଳିଥିଲା ସୂଚନା | ହେଲେ ହାତୀଙ୍କ ସଂଖ୍ୟା ନେଇ ସ୍ପଷ୍ଟ ସୂଚନା ନମିଳିବାରୁ ଶେଷରେ ନିଆଯାଇଥିଲା ଡ୍ରୋନର ସହାୟତା । ଫଳରେ ହାତୀଙ୍କ ସଂଖ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିଛି। ଅନ୍ୟପଟେ ରାଜ୍ୟରେ ଚାଲିଛି ପ୍ରଥମ ଶୀତକାଳୀନ ହାତୀ ଗଣନା। ୧୪ ତାରିଖରୁ ୪୮ ବନଖଣ୍ଡରେ ଆରମ୍ଭ ହୋଇଥିବା ଏହି ହାତୀ ଗଣନା । ଏହା ଆସନ୍ତା ୧୭ ତାରିଖ ସକାଳ ୬ଟା ଯାଏଁ ଚାଲିବ । ସେଥିପାଇଁ ପାଖାପାଖି ୧୯୦୦ଟି ୟୁନିଟ ନିୟୋଜିତ ହୋଇଛନ୍ତି। ଏଥିରେ ପ୍ରାୟ ୫ ହଜାର ରୁ ଅଧିକ ବନ କର୍ମଚାରୀ ସାମିଲ ଅଛନ୍ତି। ଖାସ୍ ଜଙ୍ଗଲ ଭିତରେ ତିଆରି ହୋଇଛି ୧ ହଜାର ୩୭୦ ମଞ୍ଚା । ହାତୀ ଗଣନାରେ ରାତି କାଳୀନ ଭିଜୁଆଲ ପାଇଁ ଡ୍ରୋନର ବ୍ୟବହାର ମଧ୍ୟ କରୁଛି ବନ ବିଭାଗ।
ଅନ୍ୟପଟେ କୁହାଗଲାଣି ହାତୀଙ୍କ ପାଇଁ ଛୋଟ ପଡ଼ିଲାଣି ଓଡ଼ିଶା । ଜଙ୍ଗଲର କ୍ଷମତାଠୁ ଅଧିକ ବାସ କରୁଛନ୍ତି ହାତୀ । ଖାଦ୍ୟ ଅଭାବରୁ ସେମାନେ ଜନବସତିମୁହାଁ ମଧ୍ୟ ହେଉଛନ୍ତି, ପୋଷଣ ଅଭାବରୁ ରୋଗ ସଂକ୍ରମଣରେ ବି ମରୁଛନ୍ତି । ରାଜ୍ୟରେ ଅଧିକ ହାତୀ ମୃତ୍ୟୁ କାରଣ ପଛର ଏ ଗୁମର ଖୋଲିଛନ୍ତି ଖୋଦ୍ ବନ୍ୟପ୍ରାଣୀ ପିସିସିଏଫ୍ । ତେବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଯୁକ୍ତି, ଜଙ୍ଗଲରେ ଖାଦ୍ୟପେୟ ବ୍ୟବସ୍ଥା ସହ ନୂଆ କରିଡର ତିଆରି କରି ରାଜ୍ୟର ହାତୀ କ୍ଷମତା ବଢ଼ାଇବାକୁ ପଡ଼ିବ । ଗଜରାଜଙ୍କ ପାଇଁ ଜାଗା ଅଭାବ । ଆମ ଜଙ୍ଗଲରେ ଯେତିକି ହାତୀ ରହିବା କଥା, ଅଛନ୍ତି ତା’ଠୁ ୪୦୦ ଅଧିକ । ରାଜ୍ୟରେ ଚଳିତ ବର୍ଷ ଅସ୍ୱାଭାବିକ ଭାବେ ହୋଇଥିବା ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିକଟରେ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏଭଳି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସେ କହିଛନ୍ତି, ବେଙ୍ଗାଳୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏସିଆନ ଏଲିଫ୍ୟାଣ୍ଟ କନଜରଭେସନ ସେଣ୍ଟର ଷ୍ଟଡି କହୁଛି, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ରାଜ୍ୟରେ ୨୧ ଶହ ଅର୍ଥାତ୍ ୪୦୦ ଅଧିକ ହାତୀ ଅଛନ୍ତି । ଖାଦ୍ୟ ଅନ୍ୱେଷଣରେ ସେମାନେ ଜନବସତିମୁହାଁ ହେଉଛନ୍ତି । ଜଙ୍ଗଲରେ ଖାଦ୍ୟପେୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ରୋଗ ସଂକ୍ରମଣରେ ବହୁ ହାତୀ ଛୁଆ ଓ ରୋଗିଣା ହାତୀଙ୍କ ମୃତ୍ୟୁ ହେଉଛି । ବନ୍ୟପ୍ରାଣୀ ପିସିସିଏଫ୍ ଆହୁରି ମଧ୍ୟ କହିଛନ୍ତି, ଏବେ ଓଡ଼ିଶା ଜଙ୍ଗଲକୁ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ବି ହାତୀ ଆସୁଛନ୍ତି । ଏମିତିକି ଅଧିକ ହାତୀ ଥିବା କିଛି ଜଙ୍ଗଲରୁ କେତେକ ହାତୀକୁ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଥିବା ସେ କହିଛନ୍ତି । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଯୁକ୍ତି, ହାତୀ ସଂଖ୍ୟା ଅଧିକ ଅଛନ୍ତି, ତେବେ ଅଧିକ ହାତୀ ଥିବାରୁ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇ ହେବନି ।
ସରକାରଙ୍କୁ ଜଙ୍ଗଲୀ ହାତୀଙ୍କ ପାଇଁ ବାସସ୍ଥଳୀ କ୍ଷମତା ବଢ଼ାଇବାକୁ ପଡ଼ିବ । ସେହିପରି ହାତୀଙ୍କ ପାଇଁ ପୂର୍ବରୁ ଥିବା କରିଡରଗୁଡ଼ିକ ନଷ୍ଟ ହୋଇଗଲାଣି । ସେମାନଙ୍କ ଲାଗି ନୂଆ କରିଡର ସୃଷ୍ଟି କରିବାକୁ ହେବ । ତେବେ ବନ ବିଭାଗ ତଥ୍ୟ କହୁଛି, ଗତ ୮ ବର୍ଷରେ ରାଜ୍ୟରେ ୬୩୪ଟି ହାତୀର ଜୀବନ ଯାଇଛି । ବର୍ଷକୁ ବର୍ଷ ହାତୀ ମୃତ୍ୟୁ କମୁଛି । ଚଳିତ ବର୍ଷ ଏବେ ସୁଦ୍ଧା ୬୦ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶିକାରୀ ତଥା ବିଷକ୍ରିୟା ଯୋଗୁ ଗୋଟିଏ ବି ହାତୀର ଜୀବନ ଯାଇନି । ତେବେ ବିଦ୍ୟୁତ ଆଘାତରେ ୨୧ଟି ହାତୀ, ଟ୍ରେନ୍ ଦୁର୍ଘଟଣାରେ ୩ଟି, ରୋଗ ଯୋଗୁ ୧୩ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ୧୯ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି ।