କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବିବାହ ଭୋଜିରେ ହାଇଡ୍ରାମା, ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଲା ପୋଲିସ। ରାତିରେ ବିବାହ ଭୋଜି ଚାଲୁଥିବା ବେଳେ ବରକୁ ଯିବାକୁ ପଡିଛି ଜେଲ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଏକ ମଣ୍ଡପରେ ନବ ବିବାହିତ ଯୁବକଙ୍କ ରିସେପ୍ସନ ଚାଲୁଥିବା ସମୟରେ ବରଙ୍କୁ ପୋଲିସ୍ ଉଠାଇ ନେଇଯିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ନବବିବାହିତ ଯୁବକ ଜଣକ ଉକ୍ତ ଅଭିଯୋଗକାରିଣୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ତାଙ୍କୁ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏପରିକି ଉକ୍ତ ଯୁବତୀଙ୍କ ସହ ତାଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ପରେ ପ୍ରତିଶ୍ରୁତିରୁ ଓହରି ଯାଇ ଉକ୍ତ ଯୁବତୀଙ୍କୁ ବିବାହ ନ କରି ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉକ୍ତ ଯୁବତୀ ଜଣକ ଏହି ଖବର ପାଇବା ପରେ ପୋଲିସ୍ ସହାୟତାରେ ଯୁବକଙ୍କ ପାଖରେ ପହଞ୍ଚିଥିଲେ । ଧଉଳି ଥାନା ଅନ୍ତର୍ଗତ କଲ୍ୟାଣ ମଣ୍ଡପରେ ରିସେପ୍ସନ ଭୋଜି ଚାଲୁଥିବା ବେଳେ ପହଞ୍ଚିଥିଲେ ଯୁବତୀ । ପରେ ରିସେପ୍ସନ ଷ୍ଟେଜରେ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ । ହଙ୍ଗାମା କରିଥିଲେ ଉକ୍ତ ଯୁବତୀ ଜଣକ । ପୋଲିସ୍ ଉକ୍ତ ଯୁବକଙ୍କୁ ଅଟକ ରଖିଛି । ଏହି ଘଟଣାକୁ ନେଇ ଲିଙ୍ଗରାଜ ଓ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ଲଭ, ସେକ୍ସ ଓ ଧୋକା ଅଭିଯୋଗରେ ତଦନ୍ତ କରୁଛି ପୋଲିସ । ଏ ଘଟଣାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି