ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ ଓ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ଗୁରୁବାର ଜଷ୍ଟିସ୍ ଏମ୍.ଏସ୍. ସାହୁଙ୍କ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିବା ସହ ଆସନ୍ତା ଡିସେମ୍ବର ୪ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସମ୍ପୃକ୍ତ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୭ ଜାନୁଆରୀ ୧୧ ତାରିଖରେ ମାମଲାର ମେରିଟ୍ ଆଧାରରେ ଶୁଣାଣି ହେବ।
ନୋଟିସ୍ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ ଓ ସୁବାସିନୀ ଜେନା। ସୁବାସିନୀ ଜେନାଙ୍କୁ ପୂର୍ବରୁ ବିଜେଡି ଦଳରୁ ନିଲମ୍ବନ କରିସାରିଛି।
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିବା ଦଳ ଅଭିଯୋଗ କରିଥିଲା। ଏହାକୁ ନେଇ ସମ୍ପୃକ୍ତ ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ଦଳ ପକ୍ଷରୁ ଆବେଦନ କରାଯାଇଥିଲା। କିନ୍ତୁ ଗତ ଜୁନ୍ ମାସରେ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ବାଚସ୍ପତି ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ।
ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହାଇକୋର୍ଟରେ ୮ଟି ପୃଥକ୍ ରିଟ୍ ପିଟିସନ୍ ଦାଖଲ କରିଥିଲେ। ଗୁରୁବାର ସେଥିମଧ୍ୟରୁ ୫ଟି ମାମଲାର ଶୁଣାଣି ହୋଇଥିଲା। ବାଚସ୍ପତି ବିଜେଡିର ପକ୍ଷ ନଶୁଣି ଆବେଦନ ଖାରଜ କରିଥିବା ଦଳ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ରଖାଯାଇଥିଲା। ଏହି ପ୍ରସଙ୍ଗରେ ପୂର୍ବରୁ ହାଇକୋର୍ଟ ବାଚସ୍ପତିଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ।
ଅନ୍ୟପଟେ, ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ବାଚସ୍ପତି ଜୁନ୍ ମାସରେ ଏକ ବିସ୍ତୃତ ଆଦେଶ ଜରିଆରେ ବିଜେଡିର ଆବେଦନକୁ ଖାରଜ କରିଥିଲେ। ପୂର୍ବ ଶୁଣାଣି ସମୟରେ ଆବେଦନକାରୀ ପିଟିସନ୍ ପ୍ରତ୍ୟାହାର କରି ପୁଣିଥରେ ବାଚସ୍ପତିଙ୍କ ନିକଟକୁ ଯିବାକୁ ଅନୁମତି ମାଗିଥିଲେ। ତେବେ ବାଚସ୍ପତିଙ୍କ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା।
ହାଇକୋର୍ଟଙ୍କ ନୋଟିସ୍କୁ ବିଜେଡି ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସ୍ୱାଗତ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟା ଉପରେ ଦଳର ଭରସା ରହିଛି ଏବଂ ଏହି ମାମଲାରେ ନିରପେକ୍ଷ ଓ ସମୟବଦ୍ଧ ନିଷ୍ପତ୍ତି ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ଆଡଭୋକେଟ୍ ଜେନେରାଲ୍ଙ୍କ ମନ୍ତବ୍ୟକୁ ସେ ସମାଲୋଚନା କରିଛନ୍ତି। ଆଚାର୍ଯ୍ୟ ଏକ ରାଜନୈତିକ ବୟାନ ଦେଇଥିବା ଏବଂ ଆଡଭୋକେଟ୍ ଜେନେରାଲ୍ଙ୍କଠାରୁ ଏପରି ମନ୍ତବ୍ୟ ଆଶା କରାଯାଏ ନାହିଁ ବୋଲି ମଲ୍ଲିକ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଜେଡିର ୮ ଜଣ ବିଧାୟକଙ୍କ ସମେତ କଂଗ୍ରେସର ୩ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ଏବେ ଆଇନଗତ ଲଢ଼େଇ ଜାରି ରହିଛି।