ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶାରେ ଉପୁଜିଥିବା ସ୍ଥିତି ସମ୍ପର୍କରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟାର ପ୍ରଭାବ, ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ପରିପ୍ରେକ୍ଷୀରେ ଓଡ଼ିଶାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ଅମିତ ଶାହ ଆଶ୍ୱାସନା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏଥିସହ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ ବାତ୍ୟା ମୁକାବିଲା କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଛନ୍ତି। ଲୋକଙ୍କ ଜୀବନ ସୁରକ୍ଷା, ବାତ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ପ୍ରଦାନ ଏବଂ ରିଲିଫ୍, ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।