କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଆସନ୍ତା ମାସରେ ଦେଶରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ଡିସେମ୍ବରରେ ହାଇଡ୍ରୋଜେନ୍ ଟ୍ରେନ୍ର ହେବ ଟ୍ରାଏଲ୍ ରନ୍ । ହରିୟାଣାର ଜିନ୍ଦ-ସୋନିପତ୍ ରୁଟ୍ରେ ପରୀକ୍ଷାମୂଳକ ଭାବେ ଉଦଜାନ ଚାଳିତ ଟ୍ରେନ୍ ଗଡ଼ିବ । ଏହି ୯୦ କିଲୋମିଟର ଟ୍ରାକରେ ଟ୍ରାଏଲ ରନ୍ ସଫଳ ହେଲେ, ୨୦୨୫ ସୁଦ୍ଧା ୩୫ଟି ଏଭଳି ଅତ୍ୟାଧୁନିକ ଟ୍ରେନ୍ ଚଳାଇବାକୁ ଯୋଜନା ରଖିଛି ଇଣ୍ଡିଆନ୍ ରେଲୱେ ।୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ବା ଶୂନ୍ୟ-ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି । ସୂଚନା ଅନୁସାରେ, ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମିତ ହାଇଡ୍ରୋଜେନ୍ ଟ୍ରେନ୍ ଆଦୌ ବାୟୁ ପ୍ରଦୂଷଣ କରିନଥାଏ । ଉଦଜାନ ଓ ଅମ୍ଳଜାନ ମିଶ୍ରଣ ଫଳରେ ଉତ୍ପନ୍ନ ବିଦ୍ୟୁତ ଶକ୍ତିରେ ଏହା ଚାଲିଥାଏ । ଏଥିରୁ ଧୂଆଁ ବାହାରେ ନାହିଁ, ବାହାରିଥାଏ ଜଳୀୟ ବାଷ୍ପ ।
ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ହାଇଡ୍ରୋଜେନ୍ ରେଳ ଇଞ୍ଜିନ୍ ଡିଜାଇନ୍ କରାଯାଇଛି । ତାମିଲନାଡୁର ଇଣ୍ଟିଗ୍ରାଲ୍ କୋଚ୍ କାରଖାନା ଦ୍ୱାରା ବିକଶିତ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଉନ୍ନତ ଇନ୍ଧନ କୋଷ ବ୍ୟବହାର କରି କାର୍ଯ୍ୟ କରିବ । ହାଇଡ୍ରୋଜେନ୍ ଓ ଅମ୍ଳଜାନ ମିଶ୍ରଣ ଫଳରେ ଉତ୍ପନ ବିଦ୍ୟୁତ ଶକ୍ତିରେ ଏହି ଟ୍ରେନ୍ ଚାଲିଥାଏ । ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ଚାଲିପାରିବ । ସମ୍ପ୍ରତି ଦେଶର ଟ୍ରେନ୍ ଗୁଡିକ ବିଦ୍ୟୁତ୍ ଏବଂ ଡିଜେଲ ଇନ୍ଧନ ବ୍ୟବହାର କରି ଚାଲୁଛି । ହାଇଡ୍ରୋଜେନ ବ୍ୟବହାର କରିବା ଦ୍ୱାରା ଡିଜେଲରୁ କାର୍ବନ ନିର୍ଗମନକୁ ରୋକାଯାଇପାରିବ, ଯାହା ପ୍ରଦୂଷଣକୁ ହ୍ରାସ କରିବ । ହାଇଡ୍ରୋଜେନ୍ ଶସ୍ତା ଏବଂ ସହଜରେ ଉପଲବ୍ଧ ଇନ୍ଧନ । ୨୦୩୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ପାଇଁ ରେଳ ବିଭାଗର ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତୀୟ ରେଳବାଇ ଖର୍ଚ୍ଚ କରୁଛି ବହୁ ଅର୍ଥ । ଚଳିତ ବର୍ଷର ବଜେଟରେ ୩୫ ଟି ହାଇଡ୍ରୋଜେନ୍ ଟ୍ରେନ୍ ପାଇଁ ୨୮୦୦ କୋଟି ଟଙ୍କା ରଖାଯାଇଛି । ଏଥିସହ ହେରିଟେଜ୍ ମାର୍ଗରେ ହାଇଡ୍ରୋଜେନ୍ ସମ୍ବନ୍ଧୀୟ ଭିତ୍ତିଭୂମି ପାଇଁ ୬୦୦ କୋଟି ଟଙ୍କା ପୃଥକ ଭାବରେ ପ୍ରଦାନ କରାଯାଇଛି । ହାଇଡ୍ରୋଜେନ୍ ଟ୍ରେନ୍ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ମଧ୍ୟମ ଧରଣର ଗହଳି ଦୃଷ୍ଟିରୁ ଟ୍ରାଏଲ୍ ରନ୍ ପାଇଁ ଜିନ୍ଦ-ସୋନିପତ୍ ରୁଟ୍କୁ ବଛାଯାଇଛି। ଏହି ଟ୍ରେନ୍ରୁ କମ୍ ଶବ୍ଦ ସୃଷ୍ଟି ହୋଇଥାଏ । ଏବେ ଜର୍ମାନୀ ଓ ଚୀନ୍ରେ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଓ ଯାନବାହାନ ଚାଲୁଛି ।