37

ଭାଂଗିଲ ଗୋଡ଼, ଭାଙ୍ଗିବୁ ସରକାର!

ଗାନ୍ଧୀମାର୍ଗରେ VRP ମହିଳାଙ୍କ ତୀବ୍ର ପ୍ରତିବାଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଗ୍ରାମ ପଞ୍ଚାୟତ ସ୍ତରରେ କାମ କରୁଥିବା Village Resource Person (VRP) ମହିଳାମାନେ ନିଜ ଦାବି ନେଇ ଓଡ଼ିଶା ବିଧାନସଭା ଆଗରେ ବା ଗାନ୍ଧୀମାର୍ଗରେ ତୀବ୍ର ପ୍ରତିବାଦ କରିଛନ୍ତି। ପୋଲିସ ସହ ଧସ୍ତାଧସ୍ତି ସମୟରେ ଜଣେ ନେତୃତ୍ୱଦାନ କରୁଥିବା ମହିଳାଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ପରିସ୍ଥିତି ଆହୁରି ତିବ୍ର ହୋଇଯାଇଛି।

VRP ମାନେ ମୁଖ୍ୟତଃ ସ୍ୱୟଂସାହାୟକ ଗୋଷ୍ଠୀ (SHG) ଠାରୁ ଚୟନ ହୋଇ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ସରକାରୀ ଯୋଜନା, ବିଶେଷକରି ମନରେଗା ସହିତ ସମ୍ପର୍କିତ ସାମାଜିକ ଅଡିଟ୍ କାର୍ଯ୍ୟ ସମ୍ପାଦନ କରନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ମାସିକ ୧୫ ହଜାର ଟଙ୍କା ମଜୁରୀ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ପ୍ରକୃତରେ ସେମାନେ କେବଳ ୫୦୦ ଟଙ୍କା ପାଉଛନ୍ତି। ବହୁ ମାସ ଧରି ବକେୟା ଟଙ୍କା ମଧ୍ୟ ମିଳୁନାହିଁ ବୋଲି ସେମାନେ କହିଛନ୍ତି।

ଆମେ ଗ୍ରାମ ସ୍ତରରେ ସରକାରୀ କାମ କରୁଛୁ, ଲୋକଙ୍କୁ ସଚେତନ କରୁଛୁ, ଅଡିଟ୍ କରୁଛୁ। କିନ୍ତୁ ଆମ ପରିଶ୍ରମର ଯଥୋଚିତ ମଜୁରୀ ମିଳୁନାହିଁ,” ବୋଲି ଜଣେ ପ୍ରତିବାଦକାରୀ କହିଛନ୍ତି।

ଆଜି ବିଧାନସଭା ଘେରାଉ ପାଇଁ VRP ମାନେ ଉଦ୍ୟମ କରିବା ସମୟରେ ପୋଲିସ ସେମାନଙ୍କୁ ରୋକିଥିଲା। ଏହି ସମୟରେ ଧକ୍କାମୁକ୍କି ଘଟିଥିବା ବେଳେ ଜଣେ ରୁନୁ ଥାପ୍ପା ନାମକ ଜଣେ ମୁଖ୍ୟ ନେତ୍ରୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆହତ ମହିଳାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

ଏହା ପରେ ପ୍ରତିବାଦ ଆହୁରି ତୀବ୍ର ରୂପ ନେଇଥିଲା। ପ୍ରତିବାଦକାରୀମାନେ ନାରା ଦେଇ କହିଥିଲେ — “ଭାଙ୍ଗିଲ ଗୋଡ଼, ସରକାର !” ସେମାନଙ୍କ ଚେତାବନୀ, ଯଦି ଶୀଘ୍ର ମଜୁରୀ ସମସ୍ୟାର ସମାଧାନ ନହେଉ, ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆହୁରି ତୀବ୍ର ହେବ।

VRP ମାନଙ୍କ ମୁଖ୍ୟ ଦାବି ହେଲା —

  • ବକେୟା ମଜୁରୀ ତୁରନ୍ତ ପ୍ରଦାନ
  • ପ୍ରତିମାସ ନିର୍ଦ୍ଧାରିତ ୧୫,୦୦୦ ଟଙ୍କା ସଂପୂର୍ଣ୍ଣ ଭାବେ ଦେବା
  • ସେବାର ସ୍ଥାୟୀକରଣ ଓ ସରକାରୀ ସ୍ୱୀକୃତି
  • ସାମାଜିକ ସୁରକ୍ଷା ସୁବିଧା

ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ, ସରକାର ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ଆସିନାହିଁ। ଏପରି ସ୍ଥିତିରେ VRP ମହିଳାମାନଙ୍କ ଆନ୍ଦୋଳନ ଆଗାମୀ ଦିନରେ କେମିତି ରୂପ ନେବ, ସେଥିପାଇଁ ସବୁଙ୍କର ଦୃଷ୍ଟି ରହିଛି।

 

 

Spread the love