87

ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ପୀଠରେ ଶମ୍ଭୁମିଳନ!

ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅର୍ନ୍ତଗତ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦିନ ବ୍ୟାପି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଅଧିବାସରେ ଅଙ୍କୁରାରୋପଣ କରାଯାଇଥିବା ବେଳେ ବୁଧବାର ଜଳଯାତ୍ରା ସହ ଯଜ୍ଞ ଶାଲା ପ୍ରଵେଶ ହୋଇଥିଲା। ଗୁରୁବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା,ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ଶୁକ୍ରବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି। ସମ୍ପୃକ୍ତି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ପୀଠରେ ଅନାଦି କାଳରୁ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ଦାତାଙ୍କ ସହାୟତାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ବିଶ୍ୱ ଶାନ୍ତି କଲ୍ୟାଣ ନିମନ୍ତେ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ରାମେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ପ୍ରତି ଦିନ ନୀତିକାନ୍ତି ଅନୁଯାୟୀ ଯଜ୍ଞ ହେଉଥିବା ବେଳେ ନାନାଦି ବ୍ୟଞ୍ଜନ ପ୍ରସାଦ ଲାଗି ପରେ ସମସ୍ତ ରୀତିନୀତି ସମ୍ପର୍ଣ୍ଣ ସହ ପୂଜା ବିଧି ସାରି ଯଜ୍ଞ ସମାପନ କରାଯାଇଥିଲା।ଭକ୍ତଙ୍କ ନିମିତ୍ତ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଉଦଯାପନୀ ଅବସରରେ ରାମେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ବିଜେ ପ୍ରତିମାଙ୍କ ଶମ୍ଭୁ ମେଳଣ ଅନୁଷ୍ଠିତ ହୋଇଥିଲା। ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବଡ଼କୁଳ ହରଗୌରୀ ଦେବ,ଚନ୍ଦ୍ରଶେଖର ଦେବ,ମଙ୍ଗଳପୁର ଶ୍ରୀ ଜଗତେଶ୍ୱର ଦେବ,ସୁବୁଦ୍ଧି ପାଟଣା ଜଗତେଶ୍ୱର ଦେବ,ଗବପଦର ବାଙ୍କନିଧି ଦେବ,ଭେଲେରି ଦଧିବାମନ ଦେବଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ। ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି,କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love