34

ସୁନ୍ଦରଗଡ଼ ଜିଲ୍ଲାର ୧୩୪୫ କୋଟି ଟଙ୍କାର ୫୬୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ଲୋକାଭିମୁଖୀ କାମର ପ୍ରଶଂସା ପାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ରବିବାର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ୧୩୪୫ କୋଟି ଟଙ୍କାର ୫୬୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ୬୦୯ କୋଟିର ୧୫୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି । ରାଉରକେଲା ସହରର ହନୁମାନବାଟିକା ଛକରୁ ପାୱାରହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଯାଇଛି | ସେହିଭଳି କୋଏଲନଗର ଶକ୍ତିବଜାର ପାର୍ଶ୍ବରେ ବିର୍ସା ମୁଣ୍ଡା ପାର୍କ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସଭା ଚାଲିଥିବାବେଳେ କିଛିଲୋକ ବାହାରେ ଠିଆହୋଇ କଥା ହେଉଥିଲେ। ଭାଷଣ ଦେଉଥିଲାବେଳେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଏମିତି ଦୃଶ୍ୟ ପଡ଼ିଯାଇଥିଲା। ମଞ୍ଚ ଉପରେ ଜିଲ୍ଲାପାଳଙ୍କୁ ଡାକି ଛିଡାହୋଇଥିବା ଲୋକଙ୍କୁ ଆସନରେ ବସାଇବାକୁ କହିଥିଲେ। ଜିଲ୍ଲାପାଳ ମଞ୍ଚରୁ ଓହ୍ଲାଇ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ଛିଡା ହୋଇଥିବା ଲୋକଙ୍କୁ ଆସନରେ ବସାଇବାର ବ୍ୟବସ୍ଥା କରିଥିଲେ।

ସୁନ୍ଦରଗଡ଼ର କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭା ମଞ୍ଚରେ ମହୁଲଫୁଲରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଉପହାର ଦେଇଥିଲେ। ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକର ପ୍ୟାକିଂକୁ ଦେଖି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ। ଏସ୍‌ଏଚ୍‌ଜି ମହିଳାମାନଙ୍କୁ ପ୍ରଶଂସା କରିବା ସହ ଜିଲ୍ଲାର ଅନ୍ୟ ମହିଳାମାନେ ଏମିତି ଖାଦ୍ୟ ତିଆରି କରନ୍ତୁ ବୋଲି କହିଥିଲେ ମୋହନ।

‘ବିର୍ସା ମୁଣ୍ଡା ଥିଲେ ଦେଶପ୍ରେମୀ ସଂଗ୍ରାମୀ। ଇଂରେଜ ଶାସକଙ୍କ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ମଧ୍ୟପ୍ରଦେଶର ଆଦିବାସୀଙ୍କୁ ଏକାଠି କରି ବିପ୍ଳବ କରିଥିଲେ। ସେ ଥିଲେ ପ୍ରେରଣାଦାୟୀ ପୁରୁଷ।’ ଆଜି ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସର‌ରେ ରାଉରକେଲା ସେକ୍ଟର-୧୩ ମେଳଣ ପଡ଼ିଆରେ ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମିତି କହିଥିେଲ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରିବାଠାରୁ ଆରମ୍ଭ କରି ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପ୍‌ଆଉଟ୍ ହାର ରୋକିବାକୁ ସହିଦ୍‌ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ଆର୍ଥିକ ସହାୟତା ଯାଏଁ ଅନେକ ପଦକ୍ଷେପ ନିଆଯାଉଛି। ଜନଜାତି ସଶକ୍ତୀକରଣର ସବୁଠାରୁ ବଡ଼ ଉଦାହରଣ ହେଉଛି ମହାମହିମ ରାଷ୍ଟ୍ରପତି ଓ ସେ ନିଜେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

Spread the love