କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ଆମ୍ ଆଦମୀ ପାର୍ଟି ସଂଗଠନ ତରଫରୁ ଆଜି ସ୍ମାର୍ଟ ସିଟି ପ୍ରକଳ୍ପ ଓ ଭୁବନେଶ୍ବର ମ୍ୟୁନିସିପାଲିଟି ଅନ୍ତର୍ଗତ ସୈନିକ ସ୍କୁଲ ନିକଟସ୍ଥ ଅଳିଆ ଗଦା ସ୍ଥାନାନ୍ତରଣ ଦାବିରେ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଳିଆ ଗଦାରୁ ସୃଷ୍ଟ ପୂତ୍ତିଗନ୍ଧମୟ ପରିବେଶର ପ୍ରଭାବରେ ପ୍ରାୟ ଏକ ଲକ୍ଷରୁ ଅଧିକ ଜନବସତି ପ୍ରଭାବିତ ହେଉଛନ୍ତି। ଏହି ଅଳିଆଗଦାକୁ ଲାଗି ଗଢି ଉଠିଥିବା ସୈନିକ ସ୍କୁଲ ସମେତ ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏହାର ଦୂଷିତ ପରିବେଶ ଯୋଗୁଁ ବାରମ୍ବାର ରୋଗାକ୍ରାନ୍ତ ହେବାର ପରିଲିକ୍ଷିତ ହେଉଛି।ସବୁଠୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ଅଳିଆ ଗଦାର ପ୍ରଭାବରେ ଅନେକ ବ୍ୟକ୍ତିଙ୍କର ଶ୍ୱାସ ଓ ହୃଦୟ ରୋଗ ଯୋଗୁଁ ଜୀବନହାନି ହୋଇସାରିଛି। ଆପାତତଃ ଏ ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରର ସଦସ୍ୟ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି। ବିଗତ ଦିନରେ ଭାଜପା ଦଳ ଏହି ଅଳିଆଗଦାକୁ ହଟାଇବା ପାଇଁ ଦୀର୍ଘ ଦିନ ଧରି ଅନଶନରେ ବସି ରହିଥିଲେ। ଦୁର୍ଭାଗ୍ୟର କଥା ସେମାନେ ସରକାରକୁ ଆସିବାର ୧୪ ମାସ ହୋଇ ଯାଇଥିଲେ ସୁଦ୍ଧା ଅଳିଆ ଗଦାକୁ ଉଠେଇନେବା ତ ଦୂରର କଥା ସେ ସମ୍ପର୍କରେ ମୌନତା ଅବଲମ୍ବନ କରିବା ଜନସାଧାରଣଙ୍କୁ ବ୍ୟଥିତ କରିଛି। ଏହି ଅଳିଆ ଗଦାକୁ ଭୁବନେଶ୍ୱରର ଭୌଗଳିକ ପରିଧି ବାହାରକୁ ସ୍ଥାନାନ୍ତରଣ କରିବା ନିମନ୍ତେ ଜନସାଧାରଣ ବାରମ୍ବାର ଅଭିଯୋଗ ଓ ଆବେଦନ ଓ ଆନ୍ଦୋଳନ କରିବା ସତ୍ତ୍ୱେ ରାଜ୍ୟ ସରକାର ଏଥି ନେଇ କର୍ଣ୍ଣପାତ କରୁନାହାନ୍ତି ଯାହା ସରକାରର ଅନ୍ଧ ଓ ବଧିର ମନୋଭାବକୁ ପ୍ରତିଫଳିତ କରୁଛି ବୋଲି ମତ ରଖିଛନ୍ତି ଆପ ନେତା।
ଆମ୍ ଆଦମୀ ପାର୍ଟି ଜନସାଧାରଣଙ୍କ ଅଧିକାର ଓ ସୁବିଧା ପାଇଁ ସର୍ବଦା ସ୍ୱର ଉଠାଇଛି। ସୈନିକ ସ୍କୁଲ ପରିସରକୁ ଲାଗି ରହିଥିବା ଅଳିଆ ଗଦା ଅନେକ ପରିବାରଙ୍କ ଜୀବନ ଜୀବିକା ଓ ସାମାଜିକ ସ୍ଥିତିକୁ ପ୍ରଭାବିତ କରୁଛି। ଏହି ବିକ୍ଷୋଭ ମାଧ୍ୟମରେ ଆମେ ସରକାରଙ୍କୁ ଚେତାଇ ଦେବାକୁ ଚାହୁଁଛୁ ଯେ ଏ ସଂକ୍ରାନ୍ତରେ ତୁରନ୍ତ ଧ୍ୟାନ ନ ଦେଲେ ଆମେ ସରକାରର ଦୋଗଲା ନୀତିକୁ ଉଜାଗର କରିବା ସହ ରାଜରାସ୍ତାରେ ଜନତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ। ଏଥି ସହିତ ଅଳିଆ ଗଦା ଦ୍ବାରା ପ୍ରଭାବିତ ସମସ୍ତ ପରିବାରକୁ ଚିହ୍ନଟ କରି ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ବିଏମସି ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଉଛୁ ବୋଲି କହିଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି |
ଆମ୍ ଆଦମୀ ପାର୍ଟି ଜନସାଧାରଣଙ୍କ ସହ ଦୃଢତାର ସହ ଠିଆ ହେବା ସହିତ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବ। ଆମେ ଭୁବନେଶ୍ବର ସମସ୍ତ ବାସିନ୍ଦା ଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରୁଛୁ ଏବଂ ମିଳିତ ଭାବେ ସରକାରଙ୍କୁ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅବଗତି କରାଇବାକୁ ଅନୁରୋଧ କରୁଛୁ। ଆସନ୍ତୁ ଏକାଠି ହୋଇ ଅଳିଆଗଦାର ସ୍ଥାନାନ୍ତରଣ ପାଇଁ ଜୋରଦାର ଲଢେଇ କରିବା ବୋଲି କହିଛନ୍ତି ଆପ ଓଡିଶାର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ।
ଆମ ଆଦମୀ ପାର୍ଟି ଭୁବନେଶ୍ୱର ସଭାପତି ଜୟସୂର୍ଯ୍ୟ କାନୁନଗୋଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ ଆନ୍ଦୋଳନକୁ ଆହୁରି ମଜବୁତ୍ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସ୍, ଶ୍ରୀକାନ୍ତ ପାଣି, ମନୋଜ ମହାନ୍ତି, ଶୁଭାଶିଷ ସ୍ବାଇଁ, ସୁନୀଲ ଷଡ଼ଙ୍ଗୀ, ରୁଚିର ରୁଦ୍ର ରଥ, ଲଳିତ ମୋହନ ଦାସ ଅଧିକାରୀ, ଅମିୟ ଶର୍ମା, ଜିତେନ୍ଦ୍ର ପଟ୍ଟନାୟକ, ସଂଜୟ କେତନ ନାୟକ, ଶୈଳେନ୍ଦ୍ର କୁମାର ସ୍ବାଇଁ, ରାକେଶ ରାଉତ, ଲଲାଟ କିଶୋର ଜେନା, ଜୟରାମ ମଲ୍ଲିକ, ସୁପ୍ରାଜ୍ ଦିଗାଲ, ସମ୍ବିତ ସାମନ୍ତରାୟ, କ୍ଷିତିଶ ମହାପାତ୍ର, ଦୀପ୍ତି ମଞ୍ଜରୀ ନାୟକ, ପି ଚିତ୍ତରଞ୍ଜନ ପୃଷ୍ଟି, ସୁକାନ୍ତ ବାରିକ୍ , ମୃତ୍ୟୁଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ବିକ୍ଷୋଭକୁ ସଫଳ କରିଥିଲେ।