କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଦୀର୍ଘ ୧୨ ଦିନ ଧରି ସରକାରଙ୍କ ଠାରୁ ଧାନ ବିକ୍ରି ପଇସା ପାଇବା ନିମନ୍ତେ ଲୋୱର ପିଏମଜିରେ ନବରଙ୍ଗପୁର ଚାଷୀ ମହାସଂଘ ତରଫରୁ ଚାଲିଥିବା ଅହୋରାତ୍ର ଧାରଣାର ଆଜି ଅବସାନ ଘଟିଛି। ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଚାଷୀ ମାନଙ୍କୁ ଫଳ ରସ ପିଆଇ ଅନଶନକୁ ସମାପ୍ତ କରାଇଥିଲେ।

ସରକାର ଧାନର ସର୍ବ ନିମ୍ନ କ୍ରୟ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀ ଭାଇମାନେ ଦୀର୍ଘ ଦିନ ଧରି ଦେଇଥିବା ଧାରଣାର ସାମୟିକ ଅବସାନ ହୋଇଥିଲେ ମଧ୍ୟ କ୍ୱିଣ୍ଟାଲ୍ ପିଛା ବୋନସ ୮୦୦ ଟଙ୍କା ସରକାର ଚାଷୀ ଭାଇଙ୍କୁ ପ୍ରଦାନ ନ କରିଲେ ପୁଣି ଆନ୍ଦୋଳନରେ ଆମ୍ ଆଦମୀ ପାର୍ଟି ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ନିଶିକାନ୍ତ ମହାପାତ୍ର ଆଶ୍ଵାସନା ପ୍ରଦାନ କରିଛନ୍ତି |

ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସ୍, ଶ୍ରୀକାନ୍ତ ପାଣି ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଚାଷୀ ବିରୋଧୀ ଭାଜପା ସରକାରଙ୍କ ମୁଖା ଖୋଲିବା ସହ ଚାଷୀଙ୍କୁ ନ୍ୟାୟ ପ୍ରଦାନ ନିମିତ୍ତ ଲଢେଇ ଜାରି ରହିବ ବୋଲି ଘୋଷଣା କରିଥିଲେ। ଏହି ୧୨ ଦିନ ବ୍ୟାପୀ ଆନ୍ଦୋଳନରେ ଆମ୍ ଆଦମୀ ପାର୍ଟି ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ଚାଷୀ ଭାଇଙ୍କ ତରଫରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କୃତଜ୍ଞତା ଜ୍ଞାପନ କରିଛନ୍ତି|