12

ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ ସଂପର୍କରେ ସମବର୍ତ୍ତୀ ସମୀକ୍ଷା କଲେ ଅନୁ ଗର୍ଗ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ଉପଯୋଗରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ଏବଂ ପ୍ରକଳ୍ପ କାର୍ୟ୍ୟକାରିତା ସଂପର୍କରେ ସମବର୍ତ୍ତୀ ସମୀକ୍ଷା ତଥା ମୂଲ୍ୟାୟନ (କନକରେଣ୍ଟ ଇଭାଲୁଏସନ) ସଂପର୍କିତ ଏକ ପ୍ରାରମ୍ଭିକ କର୍ମଶାଳା ( ଇନସେପ୍ସନ ଓ୍ୱାର୍କସପ୍) ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଭାସୀ ମାଧ୍ୟମରେ ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ାର ଜିଲ୍ଲାପାଳମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ଲୋକସେବାଭବନରେ ଯୋଜନା ଓ ସଂଯୋଜନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଓ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ବରିଷ୍ଠ ପଦାଧିକାରୀଙ୍କ ସମେତ ଆନ୍ତର୍ଜାତୀୟ ସ୍ତରର ମୂଲ୍ୟାୟନ ଦକ୍ଷତା ରଖୁଥିବା “ଗାଣ୍ଟ ଥର୍ଣ୍ଣଟନ”ସଂସ୍ଥାର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ |

ଏହି ମୂଲ୍ୟାୟନ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରକଲ୍ୟାଣ ଯୋଜନା ଏବଂ ‘ଜିଲ୍ଲା ଖଣିଜ ପାଣ୍ଠି’ ଓଡ଼ିଶା ନିୟମରେ ରହିଥିବା ପ୍ରତି ବିଧାନକୁ ସମ୍ବନ୍ଧିତ କରି ଖଣିଜ ଉତ୍ତୋଳନ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଆଭିମୁଖ୍ୟକୁ ମୂଲ୍ୟାୟନ କରିବ। କର୍ମଶାଳାରେ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ ଓ ପରିଚାଳନା ବ୍ୟବସ୍ଥା, ପ୍ରକଳ୍ପଲକ୍ଷ୍ୟ ସାଧନରେ ସଫଳତା, ପ୍ରକଳ୍ପ କିପରି ହିତାଧିକାରୀ ମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଛି, ତାହାକୁ କିପରି ମୂଲ୍ୟାୟନ କରାଯିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ମୂଲ୍ୟାୟନ  ପ୍ରକଳ୍ପ କାର୍ୟ୍ୟକାରିତାରେ ସମସ୍ତ ଅଂଶୀଦାରୀ ବିଭାଗ ତଥା ସଂସ୍ଥା ମାନଙ୍କୁ ଭବିଷ୍ୟତରେ ଯୋଜନା ପ୍ରସ୍ତୁତିରେ ସହାୟକ ହେବ।ପ୍ରକଳ୍ପ କାର୍ୟ୍ୟକାରିତାରେ କି କି ସମସ୍ୟା ରହୁଛି, ସେହିସବୁ ଆହ୍ୱାନକୁ ଚିହ୍ନଟ କରିବାରେ ସହାୟତା କରିବ । ଚୟନ କରାଯାଇଥିବା ପ୍ରକଳ୍ପରେ କାର୍ୟ୍ୟକ୍ରମ ପରିଚାଳନା ବିଶ୍ଲେଷଣ କରାଯିବ।ଖଣିଜ ଉତ୍ତୋଳନ ଦ୍ୱାରା ପ୍ରଭାବିତ ହେଉଥିବା ଗ୍ରାମର ଲୋକ ମାନଙ୍କର ନିରନ୍ତରତା ଭିତ୍ତିରେ କିପରି ସାମାଜିକ ଅର୍ଥ ନୈତିକ ବିକାଶ ଘଟିବ,ଏ ସଂପର୍କରେ ସଂପୃକ୍ତ ସଂସ୍ଥା ପ୍ରକଳ୍ପ କାର୍ୟ୍ୟକାରିତାରେ ସରକାରଙ୍କୁ ପରାମର୍ଶ ଓ ମୂଲ୍ୟାୟନରେ ସହାୟତା କରିବ। ବୈଠକରେ ଏହି ମୂଲ୍ୟାୟନ ଅଧ୍ୟୟନର ସାମଗ୍ରିକ ଢ଼ାଞ୍ଚା ବା ପଦ୍ଧତି,ବର୍ତ୍ତମାନ ସୁଦ୍ଧା ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ, ପ୍ରଶ୍ନୋତ୍ତର କୌଶଳ ଜରିଆରେ ସୂଚନା ପ୍ରାପ୍ତି,  ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଏବଂ ଜିଲ୍ଲାପାଳ ମାନଙ୍କଠାରୁ ଏଥିପାଇଁ କି କି ସହଯୋଗର ଆବଶ୍ୟକତା ରହିଛି, ସେ ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନା କରାଯାଇଥିଲା ଓ ଜିଲ୍ଲାପାଳ ମାନେ ଏ ସଂପର୍କରେ ମତ ରଖିଥିଲେ ।

ଏହି ମୂଲ୍ୟାୟନରେ ଅଂଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା, ଗୁଣାତ୍ମକ ଶିକ୍ଷା, ପିଇବା ପାଣିର ଉପଲବ୍ଧତା, ରାସ୍ତାଓ ଗମନା ଗମନ, ଜଳ ଓ ପରିମଳ ବ୍ୟବସ୍ଥା, ଗୃହ ନିର୍ମାଣ ଓ ଭିତ୍ତି ଭୂମି ବ୍ୟବସ୍ଥା, ଜୀବିକା ନିର୍ବାହ, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ, ପରିବେଶ ପ୍ରଭାବ ଜନିତ କାର୍ୟ୍ୟକ୍ରମରେ ଏହି ସଂସ୍ଥା ଅନୁସନ୍ଧାନ ଓ ସର୍ବେକ୍ଷଣ କରିବ ବୋଲି ବୈଠକରୁ ଜଣାଯାଇଛି ।ଆଗାମୀ ସେପ୍ଟେମ୍ବର ମାସ  ସୁଦ୍ଧା ଏହି ମୂଲ୍ୟାୟନ କାର୍ୟ୍ୟ ସାରିବାକୁ ପରାମର୍ଶ ଦିଆଯାଇଛି । ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

 

 

Spread the love