କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସହରର ବିଭିନ୍ନ କୋଲାନୀକୁ ଯାଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ସହ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ବୁଢାରାଜା ସ୍ଥିତ ଜଗନ୍ନାଥ କୋଲୋନୀ, ମୁଦିପଡ଼ାରେ ଜାଗେଶ୍ୱର ବାବା, ନନ୍ଦପଡ଼ାରେ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ା ସ୍ଥିତ କଚେରି ଛକ ଠାରେ ଯୁଗଳମୂର୍ତ୍ତି ଦର୍ଶନ କରିଥିଲେ । ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବରେ ସାମିଲ ହେବା ସହ କନ୍ୟା ପିତାମାତାଙ୍କୁ ଭେଟିଥିଲେ । ସେହିପରି ସଂଧ୍ୟାରେ ସମ୍ବଲପୁର ମ୍ୟୁନିସପାଲିଟି ଛକରେ ଗୁପ୍ତେଶ୍ୱର ମନ୍ଦିର, ହୀରାକୁଦ ନୀଳକଣ୍ଠେଶ୍ୱର ମନ୍ଦିରର ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇ ମହାଆଳତି କରିଥିଲେ କେନ୍ଦ୍ରମନ୍ତ୍ରୀ । ଖେତରାଜପୁରରେ ମଧ୍ୟ ‘ମାରଓ୍ୱାଡ଼ି ଯୁବ ମଞ୍ଚ’ ତରଫରୁ ଅନୁଷ୍ଠିତ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗଦେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ ।
ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରତ୍ୟକ୍ଷ ଭାବେ ସମ୍ବଲପୁରରେ ଶୀତଳ ଷଷ୍ଠୀରେ ସାମିଲ ହେବା ମୋର ସୌଭାଗ୍ୟ । ଶୀତଳ ଷଷ୍ଠୀ ଯାତ୍ରା ଆମର ଆଧ୍ୟାତ୍ମିକ ଓ ସାଂସ୍କୃତିକ ବିଭବର ଅନନ୍ୟ ନିଦର୍ଶନ । ଶୀତଳ ଷଷ୍ଠୀର ଥାଳି ଉଠା, ପତର ପେଣି,ଗୁଆ ଗୁଣା, ଦେବ ନିମନ୍ତ୍ରଣ ଏବଂ ଦେବ ବିବାହ ଇତ୍ୟାଦି ପରମ୍ପରା ଏହି ପର୍ବକୁ ଗୋଟିଏ ଭିନ୍ନ ପରିଚୟ ଦେଇଛି । ମହାଦେବ ଓ ମାତା ପାର୍ବତୀଙ୍କର ଏହି ଅନନ୍ୟ ପରମ୍ପରା ଲୋକମାନଙ୍କୁ ଭକ୍ତିରେ ସମର୍ପିତ ହେବାର ଅବସର ଦେଇଛି । ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଛି । ରାଜ୍ୟର ଅନେକ ଅଞ୍ଚଳରୁ ସପରିବାର ସମ୍ବଲପୁରକୁ ଆଗମନ କରୁଛନ୍ତି । ସମ୍ବଲପୁରର ଶୀତଳଷଷ୍ଠୀର ବିଶେଷ ପର୍ବରେ ରହି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।