30

ପୁରୀକୁ ଗଡିବ ହଜାରେ ବସ୍!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରଥଯାତ୍ରାରେ ପୁରୀକୁ ଗଡ଼ିବ ହଜାରେ ବସ୍ । ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ପୁରୀ ତାଳବଣିଆ ଏବଂ ମାଳତୀପାଟପୁରରେ ବସ୍‌ ପାର୍କିଂର ବ୍ୟବସ୍ଥା କରାଯାଇଛି । ବସ୍‌ ରହଣିସ୍ଥଳରୁ ବଡ଼ଦାଣ୍ଡକୁ ଚଳାଚଳ କରିବ ଶହେଟି ବ୍ୟାଟେରୀ ଚାଳିତ ଗାଡି । ଧାର୍ଯ୍ୟ ଭଡ଼ା ଠାରୁ ଗାଡି ମାଲିକ ଅଧିକ ଭଡ଼ା ନ ନେବାକୁ ନିର୍ଦ୍ଦେଶ ରହିଛି । ପୁରୀ ରଥଯାତ୍ରା ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ବୈଠକ ପରେ ଏ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର |

ସେପଟେ ଗତକାଲି ରଥ ନିର୍ମାଣର ସମୀକ୍ଷା କରିଛନ୍ତି ଗଜପତି ମହାରାଜା । ଗତକାଲି ରଥଖଳା ଯାଇ ବୁଲି ଦେଖିବା ସହ ରଥ ନିର୍ମାଣ ଅଗ୍ରଗତି ନେଇ ମହାରଣା ସେବାୟତଙ୍କ ସହ ଆଲୋଚନା କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ରଥ କାଠ ସମସ୍ୟା ଏବଂ ବର୍ଷା ହେଲେ ଯେଭଳି ରଥ ନିର୍ମାଣ ପ୍ରଭାବିତ ନହେବ ସେନେଇ ଆଲୋଚନା କରିଥିଲେ । ରଥକାଠ ଜନିତ ସମସ୍ୟା ନଥିବା ନେଇ ଗଜପତିଙ୍କୁ ଅବଗତ କରିଛନ୍ତି ମହାରଣା ସେବାୟତ । ଗତ ବୁଧବାର ସୁଦ୍ଧା ତିନି ରଥର ୪୨ଟି ଚକ ନିର୍ମାଣ ସରିଥିବାବେଳେ ଗରଗରା, ଚାରି ନାହାକା ନିର୍ମାଣ ଆରମ୍ଭ ହୋଇଛି । ତିନି ରଥର ପାଞ୍ଚଦଣ୍ଡା ଚଉପଟ ପାଇଁ ରଥଖଳାରେ କାଠ ସାଇତା କାର୍ଯ୍ୟ ସରିଛି । ତାଳଧ୍ୱଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଏଁ ଗରଗରା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ସୂଚନା ଅନୁସାରେ, ଆସନ୍ତା ଜୁନ୍ ୨୭ରେ ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏ ବର୍ଷ ରଥଯାତ୍ରା ଦିନ ସକାଳ ୬ଘଟିକା ଠାରୁ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବା ସହ ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯିବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ହେବ । ସେହିପରି ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିରୀକୃତ ହୋଇଛି । ବାହୁଡ଼ା ଦିନ ଅପରାହ୍ନ ୪ଟା ସୁଦ୍ଧା ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଜୁଲାଇ ୬ ତାରିଖ ମହାପ୍ରଭୁଙ୍କର ରଥ ଉପରେ ସନ୍ଧ୍ୟା ୫ଟାରୁ ୬ଟା ୩୦ ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ ।

 

 

 

 

Spread the love