କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଚାଷୀମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଚାଷୀର ପ୍ରଗତିରେ ଦେଶର ପ୍ରଗତି । କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଜେପି ବଦ୍ଧପରିକର । ଏହାକୁ ହୃଦୟଙ୍ଗମ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଦେଶ ଶାସନର ଦାୟୀତ୍ୱ ନେବା ପରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟୀତ୍ୱ ନେବା ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୧୩୧୦ ଟଙ୍କା ଥିଲା । ମୋଦି ସରକାରଙ୍କ ୧୧ ବର୍ଷର ଶାସନ ଭିତରେ ଏହାକୁ କ୍ରମାଗତ ଭାବେ ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ଓ ଗ୍ରେଡ୍ ଏ ଧାନ ର ମୂଲ୍ୟ ୨୩୮୯ କରାଯିବା ନିଷ୍ପତି ଚାଷୀକୁଳ ପାଇଁ ଆଶ୍ୱସ୍ଥି ଆଣିଦେଇଛି । ସେହିପରି ଆଜି କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ସୁଧ ରିହାତି ବଜାୟ ରଖିବା ପାଇଁ ନିଷ୍ପତି ନିଆଯାଇଛି । ଦେଶରେ ୭.୭୫ କୋଟିରୁ ଅଧିକ ଚାଷୀ କିଷାନ କ୍ରେଡିଟ୍ କାର୍ଡ ଉପରେ ନିର୍ଭରଶୀଳ ଥିବାବେଳେ ସେମାନଙ୍କୁ ବିନା କୌଣସି ଗ୍ୟାରେଂଟିରେ ମାତ୍ର ୪ପ୍ରତିଶତ ସୁଧରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଏହା କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କ ପାଇଁ ଏକ ବଡ ଲାଭ ହେବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତି ଅନୁଯାୟୀ ଧାନ ସମେତ ଅନ୍ୟାନ୍ୟ ୧୭ଗୋଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି । କୃଷକଙ୍କୁ ସଶକ୍ତ କରୁଛନ୍ତି ମୋଦି ସରକାର । ଆଜିର ଏହି ନିଷ୍ପତିକୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଓଡ଼ିଶାର ପ୍ରମୁଖ ଫସଲ ଧାନ ହୋଇଥିବାରୁ ଏହାର ଫାଇଦା ଓଡ଼ିଶାର ଚାଷୀମାନେ ଭରପୁର ନେବେ । ଆଜିର ଏହି ନିଷ୍ପତି ଫଳରେ ଧାନର ଏମଏସପି ୬୯ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପିଛା ୨୩୬୯ ଟଙ୍କା ଏବଂ “ଏ” ଗ୍ରେଡ ଧାନର ମୂଲ୍ୟ କ୍ୱିଂଟାଲ ପିଛା ୨୩୮୯ ଟଙ୍କା ହୋଇଛି । ସେହିପରି ହରଡ ଡାଲି କି୍ୱଂଟାଲ ପିଛା ୪୫୦ ଟଙ୍କା ବୃଦ୍ଧି ହୋଇ ୮୦୦୦ ଟଙ୍କା, ମୁଗ କି୍ୱଂଟାଲ ପିଛା ୮୬ ଟଙ୍କା ବୃଦ୍ଧି ୮୭୬୮ ଟଙ୍କା, ଚିନା ବାଦାମ କି୍ୱଂଟାଲ ପିଛା ୪୮୦ ଟଙ୍କା ବୃଦ୍ଧି ୭୨୬୩ ଟଙ୍କା, ସୁର୍ଯ୍ୟମୁଖୀ ବୀଜ ଏମଏସପିରେ ୪୪୧ ଟଙ୍କା ବୃଦ୍ଧି କରାଯାଇ ୭୭୨୧ ଟଙ୍କା, ଜୱାର (ହାଇବ୍ରିଡ୍) କି୍ୱଂଟାଲ ପିଛା ୩୨୮ ଟଙ୍କା ବୃଦ୍ଧି ହୋଇ ୩୬୯୯ ଟଙ୍କା, ଜୱାର (ମାଲଦାଣ୍ଡି) କି୍ୱଂଟାଲ ପିଛା ୩୨୮ ଟଙ୍କା ବୃଦ୍ଧି ହୋଇ ୩୭୪୯ ଟଙ୍କା, ବାଜରା କି୍ୱଂଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ୨୭୭୫ ଟଙ୍କା, ରାଗୀ କି୍ୱଂଟାଲ ପିଛା ୫୯୬ ଟଙ୍କା ବୃଦ୍ଧି ୪୮୮୬ ଟଙ୍କା, ମକା କି୍ୱଂଟାଲ ପିଛା ୧୭୫ ଟଙ୍କା ବୃଦ୍ଧି ୨୪୦୦ ଟଙ୍କା, ସୋୟାବିନ କ୍ଷେତ୍ରରେ ୪୩୬ ଟଙ୍କା ବୃଦ୍ଧି କରାଯାଇ ୫୩୨୮ ଟଙ୍କା, ରାଶି କ୍ଷେତ୍ରରେ ୫୭୯ ଟଙ୍କା ବୃଦ୍ଧି କରାଯାଇ ୯୮୪୬ ଟଙ୍କା, ନାଇଜରସିଡ କ୍ଷେତ୍ରରେ ୮୨୦ଟଙ୍କା ବୃଦ୍ଧି କରାଯାଇ ୯୫୩୭ ଟଙ୍କା, ମଧ୍ୟମ ଆକାର କପାର ଏମଏସପି ୫୮୯ ଟଙ୍କା ବୃଦ୍ଧି କରାଯାଇ ୭୭୧୦ ଏବଂ ଲମ୍ବା କପାର ଏମଏସପି ୫୮୯ ଟଙ୍କା ବୃଦ୍ଧି କରାଯାଇ ୮୧୧୦ ଟଙ୍କା କରାଯାଇଛି । ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ପାଇଁ ଏମଏସପି ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ ବୋଲି ସାମଲ କହିଛନ୍ତି ।