କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ “A Brief History of Odisha Legislative Assembly” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଆମ ସମସ୍ତଙ୍କ ପାଇଁ ଏହି ପୁସ୍ତକ ପ୍ରକାଶନର ଯଥାର୍ଥତା ରହିଛି । ଏହି ପୁସ୍ତକ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହୋଇପାରିବ ବୋଲି ବାଚସ୍ପତି ଆଶାବ୍ୟକ୍ତ କରିଛନ୍ତି ।
୧୯୩୬ ମସିହା ଅପ୍ରେଲ ପହିଲାରେ ବ୍ରିଟିଶ ଶାସନାଧିନ ଭାରତବର୍ଷରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଶାସନଗତ ସ୍ୱାଧୀନତା ତଥା ସ୍ୱତନ୍ତ୍ର ସାମ୍ବିଧାନିକ ସ୍ଥିତି ହାସଲ କଲା । ସ୍ୱତନ୍ତ୍ର ଓଡ଼ିଶାର (ପ୍ରାକ୍ ସ୍ୱାଧୀନତା) ପ୍ରଥମ ବିଧାନସଭାଠାରୁ ଚଳିତ ସପ୍ତଦଶ ଓଡ଼ିଶା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା ଦାୟିତ୍ୱରେ ଥିବା ମାନ୍ୟବର ରାଜ୍ୟପାଳ, ମାନ୍ୟବର ବାଚସ୍ପତି, ମାନ୍ୟବର ଗୃହର ନେତା (ମୁଖ୍ୟମନ୍ତ୍ରୀ), ମାନ୍ୟବର ବିରୋଧୀ ଦଳ ନେତା, ମାନ୍ୟବର ଉପବାଚସ୍ପତି, ବିଧାନସଭା ସଚିବାଳୟର ସଚିବଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରୀମଣ୍ଡଳ ଗଠନ, ସାଧାରଣ ନିର୍ବାଚନ, ଉପନିର୍ବାଚନ, ଦଳୀୟ ସ୍ଥିତି ସହିତ ବିଧାନସଭା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ପୁସ୍ତକରେ ପ୍ରକାଶିତ ହୋଇଛି ।
ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକବୃନ୍ଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ, ପୁସ୍ତକ ସଂକଳନରେ ସଂପୃକ୍ତ ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ, ଶ୍ରୀ ପ୍ରଶାନ୍ତ ଦାସ ଓ ଶ୍ରୀ ଅମୂଲ୍ୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।