କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ଭଙ୍ଗା ଯାଇଥିବା ମଠକୁ ମିଳିବ ନୂଆ ପରିଚୟ । ସବୁ ମଠ ମନ୍ଦିରଗୁଡିକର ପୁନର୍ବାସ କରାଯିବ । ରାଜ୍ୟ ସରକାର ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପୁରୀରେ ଏକ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରାଯାଇଛି । ସେହି ସ୍ଥାନରେ ସବୁ ମଠର ବିଜେ ସ୍ଥଳୀକୁ ରଖାଯିବ, ଯାହାଫଳରେ ଭକ୍ତଙ୍କ ଦର୍ଶନ ସୁବିଧା ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ | ମନ୍ତ୍ରୀ କହିଛନ୍ତି ଗୋଟିଏ ଜାଗାରେ ମଠଗୁଡିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏନେଇ ଦେବୋତ୍ତର କମିଶନଙ୍କ ସହ ଦୁଇ ଥର ବୈଠକ ହୋଇଛି । ପୁନର୍ବାସ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭକ୍ତ ଯେପରି ସୁବିଧାରେ ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା କରାଯିବ ବୋଲି ଦୋହରାଇଛନ୍ତି ମନ୍ତ୍ରୀ ।
ପୂର୍ବ ବିଜେଡି ସରକାରରେ ଶହ ଶହ କୋଟି ଟଙ୍କା ବ୍ୟୟରେ ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ପ୍ରାୟ ୨୦ଟି ମଠ ମନ୍ଦିରଗୁଡିକୁ ଧୂଳିସାତ୍ କରିଦିଆଯାଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ସହ ବୁଡଡୋଜର ମାଡ଼ରେ ନିଶ୍ଚିନ୍ନ ହୋଇଯାଇଥିଲା ଅନେକ ପୁରାତନ ଐତିହ୍ୟ । ବହୁ ପ୍ରାଚୀନ ମଠ ନିଜ ଅସ୍ତିତ୍ବ ହରାଇଥିଲା । ସେହି ସମୟରେ ବିଜେପି ଏହାକୁ ନିର୍ବାଚନୀ ମୁଦ୍ଦା କରି ପରିକ୍ରମା ପ୍ରକଳ୍ପରେ କ୍ଷତିଗ୍ରସ୍ତ ମଠମାନଙ୍କର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏବେ ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ସେହି ସବୁ ମଠ ମନ୍ଦିରର ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।