322

ଶିଳାନ୍ୟାସ ନୁହେଁ, ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ: ମୁଖମନ୍ତ୍ରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଯୋଡ଼ି ହେଲା ଆଉ ଏକ ସଫଳତାର ପୃଷ୍ଠା । ଯାଜପୁର କଳିଙ୍ଗନଗରରେ ଆଜି ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଟ୍ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ଏହାଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଛି |

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର କାର୍ଯ୍ୟକ୍ରମ, ଶିଳାନ୍ୟାସ କି ଉଦଘାଟନ ନୁହେଁ । ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଗାଁ ଯୁବକଙ୍କୁ ନିଯୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ। ଆଜି ଯେଉଁ ସବୁ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଏସବୁ ମେକ୍-ଇନ୍-ଓଡିଶା କନକ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ଉତ୍କର୍ଷ ଓଡ଼ିଶାର ଚମତ୍କାର ସଫଳତା ବଳରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଆମେ ପାଇଥିଲୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ କଳିଙ୍ଗନଗର ଠାରେ ନୂତନ ଭାବେ ଗଢି ଉଠିଥିବା ଇମ୍ଫା, ଜଟିଆ ଷ୍ଟିଲ ପ୍ଲାଣ୍ଟ,ଏସଏସସିପିଏଲ, ଜେଏସଏଲ ଭଳି ମୋଟ ୧୬ଟି କମ୍ପାନୀର ମଧ୍ୟ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ, ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଟାଟା ଷ୍ଟିଲ୍ ସିଇଓ ଟିଭି ନରେନ୍ଦ୍ରନ୍, ଇମ୍ଫା ଏମଡି ଶୁଭ୍ରକାନ୍ତ ପଣ୍ଡାଙ୍କ ସମେତ ବିଶିଷ୍ଟ ଶିଳ୍ପପତି ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

 

 

 

 

 

 

 

Spread the love