କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବିବାହ ଋତୁରେ ପୁଣି ଗ୍ରାହାକଙ୍କ ଚିନ୍ତା ବଢ଼ାଇଛି ସୁନାଦର | ରାଜଧାନୀ ଭୁବନେଶ୍ୱରରେ ଉପରମୁହାଁ ସୁନା ମୂଲ୍ୟ । କାଲି ୨୪ କ୍ୟାରେଟ୍ ସୁନା ଏକାଥରେ ୨୪୦୦ ଏବଂ ୨୨ କ୍ୟାରେଟ୍ ୨୨୦୦ ଟଙ୍କା ବଢିଥିବା ବେଳେ ଆଜି ପୁଣି ମହଙ୍ଗା ହୋଇଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଆଜି ୪୯୦ ଟଙ୍କା ବଢ଼ି ୯୭ ହଜାର ୯୧୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନା ଦରରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।
ଆଜି ରାଜଧାନୀରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୯ ହଜାର ୭୫୦ ଟଙ୍କା ରହିଛି । କାଲି ଏହି ଦର ୮୯ ହଜାର ୩୦୦ ଟଙ୍କା ଥିଲା । ସେହିପରି ୧୮ କ୍ୟାରେଟ ସୁନା ଦର ୩୭୦ ଟଙ୍କା ବୃଦ୍ଧି ସହ ୭୩ ହଜାର ୪୪୦ ଟଙ୍କାରେ ପହଞ୍ଚିଛି । ଗତ କିଛି ଦିନ ହେଲା ସୁନା ଦରରେ ସାମାନ୍ୟ ସ୍ଥିରତା ଦେଖାଯାଇଥିବା ବେଳେ ପୁଣିଥରେ ଏହା ବେଲଗାମ ହୋଇପଡିଛି । କେଉଁ ଦିନ ହଜାରେ ବଢୁଛି ତ ଆଉ କେଉଁ ଦିନ ଶହେ । ପ୍ରାୟତଃ ପ୍ରତିଦିନ ସୁନା ମହଙ୍ଗା ହେବାରେ ଲାଗିଛି । ବିବାହ ଋତୁ ଚାଲିଥିବାରୁ ସୁନା ଦାମ୍ରେ ଏହି ଅହେତୁକ ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ବୋଝ ବଢାଇ ଦେଇଛି ।