କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆଉ ଚାଲିବନି ବାବୁଗିରି । ଏଣିକି କ୍ୟାବିନେଟ୍ ବୈଠକରେ ରହିବେନି ସଚିବ । ନିଜ ବିଭାଗର ପ୍ରସ୍ତାବ ନିଜେ ଉପସ୍ଥାପନ କରିବେ ମନ୍ତ୍ରୀ । କମିଲା ସଚିବଙ୍କ କ୍ଷମତା | କ୍ୟାବିନେଟର ଢାଞ୍ଚା ପରିବର୍ତ୍ତନ ସହ ରାଜ୍ୟ ସରକାର ନେଇଛନ୍ତି କିଛି ଏଭଳି ନିଷ୍ପତ୍ତି । ୩ ଦିନ ପୂର୍ବରୁ କ୍ୟାବିନେଟ୍ ଏଜେଣ୍ଡା ଫାଇନାଲ୍ ସହ ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖରେ ପହଞ୍ଚିବ ଫାଇଲ୍ । ପୂର୍ବ ବିଜେଡି ସରକାର ଅମଳରେ କିନ୍ତୁ ମନ୍ତ୍ରୀ ଜାଣି ପାରୁନଥିଲେ କ୍ୟାବିନେଟ୍ ଏଜେଣ୍ଡା ଆଉ ପ୍ରସ୍ତାବ । ସବୁ କରୁଥିଲେ ସଚିବ । କିନ୍ତୁ ଏଣିକି କ୍ୟାବିନେଟ୍ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ ହେବ ଆଉ ଫେରିବ ମନ୍ତ୍ରୀଙ୍କ ପାୱାର୍ ।
ସେପଟେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ । ୫ ଦିନ ପୂର୍ବରୁ ସ୍ଥିର ହେବ କ୍ୟାବିନେଟ୍ ବସିବାର ତାରିଖ । ୩ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ୍ ପ୍ରସ୍ତାବ ଫାଇଲ୍ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ । ବଡ଼କଥା ହେଉଛି ଏଣିକି କ୍ୟାବିନେଟ୍ ବୈଠକରେ ଆଉ ସଚିବ ନୁହନ୍ତି, ପ୍ରସ୍ତାବ ଉପସ୍ଥାପନ କରିବେ ଖୋଦ୍ ମନ୍ତ୍ରୀ । କ୍ୟାବିନେଟ୍ ଏଜେଣ୍ଡାରେ ଥିବା ପ୍ରସ୍ତାବ, ସଂପର୍କିତ ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମ୍ରେ ନ ବସି ପାଖ ରୁମରେ ବସିବେ । ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବମାନେ କ୍ୟାବିନେଟ ବୈଠକ ରୁମ୍କୁ ଯାଇପାରିବେ। ପ୍ରସ୍ତାବଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି ।