6

ରାଜଧାନୀରୁ ସମସ୍ତ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ : ଅଧିକ ବର୍ଷା ହେଲେ ଭୁବନେଶ୍ୱର ସହରର ବିଭିନ୍ନ ଅଂଚଳରେ ଦେଖା ଦେଉଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନିଆଯାଇ ଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ସମୀକ୍ଷା କରିଥିଲେ।ଆଗାମୀ ବର୍ଷା ଦିନ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଅଂଚଳରେ ରହୁଥିବା ଜଳ ନିଷ୍କାସନ ସମସ୍ୟା ପ୍ରତି ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି | ବୈଠକରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେ ପ୍ରଭାକର ପାଟିଲ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଡଃ. ଏନ୍. ଥିରୁମାଳା ନାୟକ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।ସହରରେ ଅଧିକ ବର୍ଷା ହେଲେ, ଯେଉଁ ଯେଉଁ ଅଂଚଳରେ ବର୍ଷାଜଳ ନିଷ୍କାସନରେ ସମସ୍ୟା ଉପୁଜୁଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ପୁଙ୍ଖାନୁ ପୁଙ୍ଖ ବୁଝି ଆଲୋଚନା ପୂର୍ବକ ଯେଉଁ ଯେଉଁ କାମ ଅଗ୍ରାଧିକାର ଭିତ୍ତିରେ କରିବାକୁ ପଡିବ, ସେ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।
ବିଏମସି କମିଶନର ସହରରେ ଥିବା ଡ୍ରେନେଜ ସିଷ୍ଟମ ସଂପର୍କରେ ଏକ ଉପସ୍ଥାପନ କରିଥିଲେ।ସହରରେ ୭୭.୦୭କି.ମି ବିଶିଷ୍ଟ ୧୫ଟି ମୁଖ୍ୟ ପ୍ରାକୃତିକ ଡ୍ରେନ୍ ଥିବାବେଳେ ବିଏମସି ଅଂଚଳରେ ବିସ୍ତୃତ ଭାବେ ୧୮୩୯କି.ମି ଇଣ୍ଟରନାଲ ଡ୍ରେନ ରହିଛି।ସେଥିରୁ ବିଏମସି ଅଧିନରେ ୧୩୮୦କି.ମି, ପୂର୍ତ୍ତ ବିଭାଗ ଅଧିନରେ ୩୬୦.୨୨କି.ମି, ଇଡ୍କୋ ଅଧିନରେ ୬୫.୦୨କି.ମି ଏବଂ ଜାତୀୟ ରାଜପଥ ଅନ୍ତର୍ଗତ ୩୪.୪୩କି.ମି ଡ୍ରେନେଜ୍ ବ୍ୟବସ୍ଥା ରହିଛି। ବିଭିନ୍ନ କାରଣରୁ ସହରରେ ଅତ୍ୟଧିକ ବର୍ଷା ହେଲେ ଇସ୍କନ ମନ୍ଦିର ରାସ୍ତା, କଟକ ରୋଡ, ସମହସ୍ପିଟାଲ ନିକଟସ୍ଥ ଆୟୁର୍ବେଦିକ ମେଡିକାଲ କଲେଜ ସମୁଖ ରାସ୍ତା, ଅହଲ୍ୟା ନଗର, ମହିଳା ସିଟି କଲେଜ, ଏମ୍ସଅଂଚଳ,  ଭଗବାନ ପୁର, ଫରେଷ୍ଟ ପାର୍କ, ଲକ୍ଷ୍ମୀ ସାଗର, ନହର କଣ୍ଟା, ରୁଦ୍ରପୁର ଅଂଚଳ ଆଦିରେ ବେଶୀ ଜଳ ନିଷ୍କାସନ ସମସ୍ୟା ରହୁଛି।ଏସବୁ ଅଂଚଳରେ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି, ରାଜ୍ୟ ପାଣ୍ଠି ଆଦିରୁ ଭିନ୍ନଭିନ୍ନ ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ଖର୍ଚ୍ଚ ନିମନ୍ତେ ପଦକ୍ଷେପ ନିଆ ଯାଇଛି।ଏଥି ପାଇଁପ୍ରାୟ ୩୦୦କୋଟି ବ୍ୟୟ ଆକଳନ କରାଯାଇଥିବା ବେଳେ କେଉଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ, କେଉଁକାର୍ଯ୍ୟ ଅଧିକ ଦିନ ଲାଗିବ, ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବିଭିନ୍ନ ବିଭାଗ ଅଧିନରେ ଆସୁଥିବା ଡ୍ରେନେଜ କାର୍ଯ୍ୟକୁ ସଂପୃକ୍ତବିଭାଗମାନେ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶଏବଂ ପରାମର୍ଶ ଦେଇଛନ୍ତି ।
Spread the love