କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଯେତେ ଆକ୍ରମଣ କଲେ ବି ସୁଧୁରୁନି ପାକିସ୍ତାନ। ରାତିସାରା ମାଡ଼ କରୁଛି ମି଼ସାଇଲ ଓ ରକେଟ। ଜବାବରେ ଭାରତ ମଧ୍ୟ କରୁଛି ପାଲଟା ଆକ୍ରମଣ। ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ସେହିପରି ପୁରୀରେ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ | ସାରା ରାତି ପୋଲିସ ପକ୍ଷରୁ ଜୋରଦାର ଚେକିଂ ଏବଂ ବ୍ଲକିଂ କରାଯାଇଛି। ସହରର ବିଭିନ୍ନ ହୋଟେଲରେ ମଧ୍ୟ ଯାଞ୍ଚ କରାଯାଇଛି। ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଉଛି। ଗତକାଲି ରାତି ଓ ଆଜି ସକାଳେ ମଧ୍ୟ ରକେଟ୍ ଓ ମିସାଇଲ ଦ୍ୱାରା ଭାରତ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ କରି ପାକିସ୍ତାନ କରୁଛି ରକେଟ ମାଡ଼। ଗତକାଲି ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରିଦିଆଯାଇଛି।
ଅନ୍ୟପକ୍ଷରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରି ଦିଆଯାଇଛି। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ।ସୂଚନାଯୋଗ୍ୟ, ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଲୋକେସନରେ ସେନା ଏୟାରଷ୍ଟ୍ରାଇକ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦର ୪, ଲସ୍କର-ଏ-ତୋଇବାର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଠିକଣା ଛାରଖାର ହୋଇଛି। ବହାୱଲପୁରରେ ରହିଛି ଜୈସ-ଏ-ମହମ୍ମଦର ମୁଖ୍ୟାଳୟ। ମୁରିଦକେରେ ରହିଥିଲା ଲସ୍କର-ଏ-ତୋଇବାର ଆଡ୍ଡା।