31

ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ୍!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆନ୍ତଃରାଜ୍ୟ ଦଲାଲ ଗ୍ୟାଙ୍ଗକୁ ମାଡିବସିଲା କମିଶନରେଟ ପୋଲିସ | ଆସନ୍ତାକାଲି ନିଟ୍‌ ପରୀକ୍ଷା । ଏହାପୂର୍ବରୁ ଆଜି ମେଡିକାଲ କଲେଜ ସିଟ୍ ବିକ୍ରି ପାଇଁ ହୋଟେଲରେ ଚାଲିଥିଲା ଡିଲ । ରେଟ୍‌ ବି ଛିଣ୍ଡି ସାରିଥିଲା । ହେଲେ ଠିକ୍ ସମୟରେ ପହଞ୍ଚିଗଲା ପୋଲିସ । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ ହୋଇଛି । ଘଟଣାରେ ୪ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଓଡ଼ିଶାରୁ ୨ ଜଣ, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ ହୋଇଛନ୍ତି ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।

ଦେବଦତ୍ତ କହିଛନ୍ତି, ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ୍‌ ସିଟ୍‌ ପାଇଁ ଡିଲ୍‌ କରୁଥିଲେ । ୯୦ ଲକ୍ଷର ଚେକ୍‌ ମିଳିଛି । କିଛି ବ୍ଲାଙ୍କ୍‌ ଚେକ୍‌ ବି ମିଳିଛି । ଆସନ୍ତା ମେଡିକାଲ କଲେଜ୍‌ ନାମଲେଖା ପାଇଁ ଡିଲ୍‌ ହୋଇଥିଲା । ଏହି ଦଲାଲମାନେ ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇଥାନ୍ତେ । ତେବେ ସେମାନେ ଏଥିରେ ସଫଳ ହୋଇଥାନ୍ତେ କି ଟଙ୍କା ନେଇ ଠକିଥାନ୍ତେ ତାହା ଜଣାନାହିଁ । ଏହା ପୂର୍ବରୁ ପୋଲିସ ସେମାନଙ୍କୁ ଠାବ କରି ଧରିପାରିଛି । ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ ଆଉ କିଛି NRIଙ୍କୁ ମଧ୍ୟ ଫସାଇବା ଯୋଜନା କରୁଥିବା କଥା ଜଣାପଡ଼ିଛି । ଯେଉଁ ଅଭିଭାବକ ଏପରି ଟଙ୍କା ଦେଇ ମେଡିକାଲ୍ ସିଟ୍ ପାଇଁ ଡିଲ୍ କରୁଛନ୍ତି, ସେମାନେ ମଧ୍ୟ ଅପରାଧରେ ଭାଗିଦାର ବୋଲି କହିଛନ୍ତି ପୋଲିସ କମିଶନର । ଏଥିସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।

 

Spread the love