22

ଅନ୍ୟ ପୋପଙ୍କ ଭଳି ହେବନି ଫ୍ରାନ୍ସିସଙ୍କ ଶେଷକୃତ୍ୟ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ ସାରା ବିଶ୍ବ। ନାଇଟକ୍ଲବ୍ ବାଉନ୍ସରର ସର୍ବୋଚ୍ଚ ଖ୍ରୀଷ୍ଟ ଧର୍ମୁଗୁରୁ ତଥା ୧୪୦ କୋଟି କ୍ୟାଥଲିକ୍‌ ମୁଖିଆ ପୋପ ଫ୍ରାନ୍ସିସ ଗତକାଲି ପବିତ୍ର ଇଷ୍ଟର ସଣ୍ଡେରେ ଦର୍ଶନ ଦେବା ପରେ, ଆଜି ଇଷ୍ଟର ମଣ୍ଡେରେ ଆଖି ବୁଜିଛନ୍ତି ପୋପ୍ ଫ୍ରାନ୍ସିସ୍। ୧୨ ବର୍ଷ ଧରି କ୍ୟାଥଲିକ୍ ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ତଥା ରୋମ୍‌ର ବିଶପ୍ ଥିବା ଏହି ପୋପ୍‌ଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ନମ୍ର ତଥା ଅମାୟିକ ବ୍ୟକ୍ତିତ୍ବ ପାଇଁ ସାରା ବିଶ୍ବର ପ୍ରିୟ ପାଲଟିଥିବା ଏହି ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍, ଡବଲ୍ ନିମୋନିଆ ବା ଦୁଇଟି ଯାକ ଫୁସଫୁସରେ ସଂକ୍ରମଣ ପାଇଁ ଗତ ୫ ସପ୍ତାହ ଧରି ଚିକିତ୍ସାଧୀନ ଥିଲେ।

ତେବେ ଆଜି ସକାଳୁ ସେ ନିଜ ପିତାଙ୍କ ପାଖକୁ ଫେରିଯାଇଥିବା ଘୋଷଣା କରିଛନ୍ତି କାର୍ଡିନାଲ୍ କେଭିନ୍ ଫାରେଲ୍। ଆଜି ଭାରତୀୟ ସମୟ ରାତି ସାଢ଼େ ୧୧ଟାରେ ତାଙ୍କ ବାସଭବନ ସେଣ୍ଟ୍ ମାର୍ଥା ରେସିଡେନ୍ସରେ ପୋପ୍‌ଙ୍କ ମରଶରୀର କଫିନରେ ରଖାଯିବ। ତେବେ ଅନ୍ୟ ପୋପଙ୍କ ଭଳି ହେବନି ଫ୍ରାନ୍ସିସଙ୍କ ଶେଷକୃତ୍ୟ। ୧୦୦ରୁ ଅଧିକ ବର୍ଷ ଭିତରେ ପ୍ରଥମ ପୋପ୍ ଭାବେ ତାଙ୍କୁ ଭାଟିକାନ୍ ସିଟି ବାହାରେ କବର୍ ଦିଆଯିବ। ତାଙ୍କ ଇଚ୍ଛା ଅନୁସାରେ, ସେଣ୍ଟ ପିଟର୍ ବାସିଲିକା ପରିବର୍ତ୍ତେ ରୋମ୍ ସ୍ଥିତ ସାଣ୍ଟା ମାରିଆ ମ୍ୟାଗିଓର୍ ବାସିଲିକାରେ ତାଙ୍କୁ କବର୍ ଦିଆଯିବ। ଏଥିସହ ପରଂପରା ଭାଙ୍ଗି ୩ଟି ସୌଖୀନ କଫିନ୍ ପରିବର୍ତ୍ତେ, ଗୋଟିଏ କାଠ ଓ ଜିଙ୍କ୍ କଫିନରେ ତାଙ୍କୁ କବର ଦେବାକୁ କହିଯାଇଛନ୍ତି ପୋପ୍, ଯାହାକି ତାଙ୍କ ସରଳ ଓ ନିରାଡ଼ମ୍ବର ସ୍ବଭାବକୁ ସୂଚାଉଛି। ଫ୍ୟୁନେରାଲରେ ବ୍ରିଟେନ ରାଜପରିବାର ସଦସ୍ୟଙ୍କ ସମେତ ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

Spread the love