140

ଯଶକିର୍ତ୍ତୀ ବଖାଣିଲେ ନୀତିନ, ସର୍ଦ୍ଦାରଙ୍କ ସହ ତୁଳନା କଲେ ମୋହନ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀରେ ମହତାବଙ୍କ ବଳିଷ୍ଠ ଯଶକିର୍ତ୍ତୀକୁ ବଖାଣିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଡ଼ଃ ମହତାବ ଓଡ଼ିଶା ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ | ତାଙ୍କ ଜୀବନୀରୁ ଖାଲି ଓଡ଼ିଶା ନୁହେଁ, ସାରା ଦେଶବାସୀ ବି ପାଆନ୍ତି ପ୍ରେରଣା । ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି ଭିତ୍ତିଭୂମି ନିର୍ମାଣ, ଜଳସେଚନ ଏବଂ ଶିକ୍ଷା ପାଇଁ ମହତାବଙ୍କ ଉଦ୍ୟମ ଓ କାମ ପାଇଁ ସବୁବେଳେ ଲୋକେ ତାଙ୍କୁ ମନେ ରଖିବେ।

ସେହିପରି ମହତାବଙ୍କୁ ଓଡ଼ିଶାର ସର୍ଦ୍ଦାର ପଟେଲ ଭାବେ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ନିଜ ଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନରେ ମହତାବ ଅଗ୍ରଣୀ ଭୂମିକା ନେଇଥିଲେ। ୨୬ଟି ଗଡ଼ଜାତ ଅଞ୍ଚଳକୁ ଓଡ଼ିଶାରେ ମିଶାଇଥିଲେ, ସ୍ବଳ୍ପ ସମ୍ବଳରେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ସହ ନୂଆ ରାଜଧାନୀ ପ୍ରତିଷ୍ଠା କରିଥିଲେ।

ଏପଟେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଜେପିକୁ ନିଶାନା କରିଛନ୍ତି ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଦିନରେ ମହତାବ ଜୟନ୍ତୀ ପାଳନକୁ ନେଇ ପରୋକ୍ଷରେ ଟାର୍ଗେଟ୍ କରି ନବୀନ କହିଛନ୍ତି ଜଣେ ମହାନ ନେତାଙ୍କୁ ହଟାଇବାକୁ ଚେଷ୍ଟା ଚାଲିଛି। ଇତିହାସ ବଦଳାଇବାକୁ ଉଦ୍ୟମ ଚାଲିଛି, ହେଲେ କେହି ଏହା କରି ପାରିବେନି। ତେବେ ନବୀନଙ୍କ ଏ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ | ସାମଲ କହିଛନ୍ତି ଆମ ହାଡ ମାଂସରେ ପୂଜ୍ୟପୂଜା ଅଛି, ବିଜୁ ବାବୁଙ୍କ ପ୍ରତି ବି ସମ୍ମାନ ଅଛି। ନବୀନ ଯାହା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

 

 

 

Spread the love