କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଏଣିକି ରାଜ୍ୟରେ ହଠାତ୍ କାହାର ରାସନ କାର୍ଡ କଟାଯିବନି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଯାଏ ରାଜ୍ୟର ୩୦ ଲକ୍ଷ ୭୩୪ ଲୋକ e-KYC କରି ନାହାନ୍ତି। ୩୧ ମାର୍ଚ୍ଚ ପରେ ସମ୍ପୂର୍ଣ୍ଣ ତାଲିକା ଆସିବା ପରେ କେତେ ଲୋକ e-KYC କରିନାହାନ୍ତି ଜଣାପଡ଼ିବ । ଏହି ତାଲିକା ଆସିଲେ ମାର୍ଚ୍ଚ ମାସ ପରେ ଫିଲ୍ଡ ଭିଜିଟ୍ କରି e-KYC କାହିଁକି ହୋଇନି ଯାଞ୍ଚ କରାଯିବ। ସେହିପରି ୬ ଲକ୍ଷ ୩୫ ହଜାର ରାସନ କାର୍ଡ ଧାରୀ ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି। ଏବେ ସେମାନଙ୍କ ସର୍ଭେ ଚାଲିଛି,ଯାହାକି ଏପ୍ରିଲ ୧୫ ସୁଦ୍ଧା ସରିବ। ସର୍ଭେ ପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ନୂଆ ପୋର୍ଟାଲ ଖୋଲିଛି, ୫୦ ହଜାର ଆବେଦନ ଆସିଛି ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ପୂର୍ବରୁ ନିର୍ଦ୍ଦେଶ ଆସିଥିଲା। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ, ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପରବର୍ତ୍ତୀ ସମୟରେ ଡୋର ଟୁ ଡୋର ଭେରିଫିକେସନ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।