କର୍ତ୍ତବ୍ୟ ନ୍ୟୁଜ: ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ । ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି । ଜାତିର ମୁକ୍ତିଦାତା ସାଜି ଧରାପୃଷ୍ଠରେ ଅବତରଣ କରିଥିବା ଏହି ଯଶସ୍ୱୀ ଯୋଗଜନ୍ମା । ତାଙ୍କ ଜୀବଦ୍ଦଶାରେ ସେବା, ତ୍ୟାଗ, ପରୋପକାର ଓ ନିଷ୍ଠା ପରି ମାନବୀୟ ଗୁଣଗୁଡ଼ିକ ସେ ଆପଣାର କରିପାରିଥିଲେ । ଅପର ପକ୍ଷରେ ତାଙ୍କ ଭିତରେ ଦୁଃସାହସିକତା ତଥା ନିର୍ଭୀକତା ପରି ତେଜୋଦୀପ୍ତ ଗୁଣାବଳୀର ସମାହାର ସହଜାତ ଥିଲା । ଏହି ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ବୈମାନିକ, ଲୋକପି୍ରୟ ରାଜନୀତିଜ୍ଞ ଓ ସମାଜସେବକ ଭାବରେ ନିଜ ଭୂମିକାର ସଫଳ ସଂପାଦନ କରିବା ସହିତ ସୁପ୍ତ ଓଡ଼ିଆ ମନରେ ଜାତିପ୍ରେମର ବହ୍ନି ପ୍ରଜ୍ୱଳନ କରିବାରେ ସକ୍ଷମ ହୋଇପାରିଥିଲେ । ନିଜ ସମୟର ଓଡ଼ିଶାକୁ ଅତୀତର କଳିଙ୍ଗ ଓ ନିଜକୁ ଖାରବେଳଙ୍କ ଦାୟାଦ ରୂପେ ପରିଚୟ ପ୍ରଦାନ କରି ଏକ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ସେ ସର୍ବଦା ଚେଷ୍ଟାରତ ଥିଲେ । ବାସ୍ତବରେ ଓଡ଼ିଆ ଜାତିର ଦୁଃଖଦୁର୍ଦ୍ଦଶା ସେ ସହ୍ୟ କରିପାରୁ ନଥିଲେ । ମାଟିର ମୂର୍ତ୍ତିକାର ଓ ଝଡ଼ର ଇଗଲ ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତଥା ଆଦର୍ଶ ପୁରୁଷଙ୍କ ଜୀବନୀ ଏକ ଇତିହାସ ସଦୃଶ । ବୁଧବାର ବିଧାନସଭା ପରିସରରେ ପ୍ରବାଦପୁରୁଷ ମହାନ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଉପ ମୁଖ୍ୟସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଉତ୍କଳ ସମ୍ମିଳନୀର ସଦସ୍ୟବୃନ୍ଦ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା । ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
165