125

ଥରାଇବ ମାଘର ବାଘ ଭଳି ଶୀତ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପୁଣି ଥରିବ ଓଡିଶା । ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ୧୬ ତାରିଖ ଯାଏ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର। ସେଥିପାଇଁ ୬ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ଡିସେମ୍ବର ଓ ଜାନୁଆରୀରେ ପ୍ରବଳ ଶୀତ ପଡ଼େ । ହାତୋଗୋଡ଼ କାଲୁଆ ପଡ଼ିଯାଏ। କିନ୍ତୁ ଏବର୍ଷ ବିରାଟ ବ୍ୟତିକ୍ରମ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ କହୁଛି, ଗତ ୧୦ ବର୍ଷରେ ରାଜ୍ୟରେ ଏମିତି ଟ୍ରେଣ୍ଡ ଦେଖିବାକୁ ମିଳିଛି। ଅଧିକାଂଶ ସହରରେ ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି। ୨୦୨୨ ଡିସେମ୍ବରରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ୨୦୨୦ ଡିସେମ୍ବରରେ ବାଲେଶ୍ୱରରେ ୩୩.୪, ପାରାଦୀପରେ ୩୧.୨, ଝାରସୁଗୁଡ଼ାରେ ୩୩, ୨୦୧୫ରେ କେନ୍ଦୁଝରରେ ୩୨.୯ ଓ ୨୦୧୨ରେ ପୁରୀରେ ଡିସେମ୍ବରରେ ପାରଦ ରହିଥିଲା ୩୧.୬ ଡିଗ୍ରୀ ସେଲସିୟସ୍। ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଋତୁଚକ୍ର ଉପରେ ପଡୁଛି। ଫଳରେ ଶୀତ ଦିନେ କେବେ ବର୍ଷା ଦାଉ ସାଧୁଛି ତ କେବେ ଗ୍ରୀଷ୍ମଋତୁ ଭଳି ଟାଇଁ ଟାଇଁ ଖରା।

 

Spread the love