କର୍ତବ୍ୟ ନ୍ୟୁଜ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ ଦଳ ୧-୨ରେ ପଛୁଆ ରହିଥିବା ବେଳେ ଦଳକୁ ଲାଗିଛି ବଡ ଝଟକା । ଚଳିତ ସିରିଜରେ ଭାରତୀୟ ଦଳର ଟ୍ରମ୍ପକାର୍ଡ ରହିଥିବା ଯଶପ୍ରୀତ ବୁମରା ଆହତ ହୋଇ ପଡିଆ ଛାଡିଛନ୍ତି। ସିଡନୀରେ ଖେଳା ଯାଉଥିବା ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଆହତ ହୋଇଥିଲେ। ପଡିଆ ଛାଡିବା ସହ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ସହିତ ତାଙ୍କୁ ସ୍କାନିଙ୍ଗ ପାଇଁ ମଧ୍ୟ ନିଆଯାଇଥିଲା। ସିଡନୀରେ ଦ୍ବିତୀୟ ଦିନର ଖେଳରେ ବୁମରା ୮ ଓଭର ବୋଲିଂ କରିଥିବା ବେଳେ ମାର୍ନସ ଲାବୁଶେନଙ୍କ ୱିକେଟ ମଧ୍ୟ ହାସଲ କରିଥିଲେ। ତେବେ ଲଞ୍ଚ ପରେ ବୁମରା ପଡିଆ ଛାଡୁଥିବା ଦେଖିବାକୁ ମିଳିଥିଲା। ଆହତ ସମସ୍ୟା ସମ୍ପର୍କରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବୁମରା ଚଳିତ ସିରିଜରେ ଭାରତର ଟ୍ରମ୍ପକାର୍ଡ ରହିଛନ୍ତି। ୫ଟି ଯାକ ଟେଷ୍ଟରେ ସେ ଭାରତର ଫ୍ରଣ୍ଟଲାଇନ ବୋଲର ରହିଛନ୍ତି। ବୁମରା ଆହତ ହୋଇଥିବା ବେଳେ ଭାରତର ବୋଲିଂ ଲାଇନ ଅପ ବର୍ତ୍ତମାନ ଦୁର୍ବଳ ହୋଇ ପଡିଛି।