38

Mizoram Governor appointed as Governor of Odisha; ବଦଳିଲେ ୫ ରାଜ୍ୟର ରାଜ୍ୟପାଳ, ମିଜୋରାମ ରାଜ୍ୟପାଳ ସମ୍ଭଳିବେ ଓଡିଶା ରାଜ୍ୟପାଳ ଗାଦି

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ମିଜୋରାମ ରାଜ୍ୟପାଳ ଏବେ ସମ୍ଭାଳିବେ ଓଡିଶା ରାଜ୍ୟପାଳ ଗାଦି । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ୨୦୨୧ରୁ ସେ ଥିଲେ ମିଜୋରାମ୍ ରାଜ୍ୟପାଳ। ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁଙ୍କୁ ମିଳିଛି ନିଯୁକ୍ତି । ସେପଟେ ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ମିଳିଥିଲା। ୨୦୨୩ ଅକ୍ଟୋବର ୩୧ରେ ସେ ଦାୟିତ୍ବ ଗ୍ରହଣ କରିଥିଲେ।

ଆନ୍ଧ୍ରପ୍ରଦେଶ ବାସିନ୍ଦା ହରିବାବୁ କମ୍ଭମପତି ଦକ୍ଷିଣ ରାଜ୍ୟରେ ଜଣେ ଟାଣୁଆ ରାଜନେତା। ୨୦୧୪ରେ ସେ ବିଶାଖାପାଟଣା ଲୋକସଭାରୁ ସାଂସଦ ଥିଲେ। ବିଜେପି ଟିକେଟରେ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ବିଶାଖାପାଟଣା-୧ ଆସନରୁ ବିଧାୟକ ଥିଲେ ହରିବାବୁ କମ୍ଭମପତି। ୨୦୧୪-୨୦୧୮ ଯାଏଁ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ରାଜ୍ୟ ସଭାପତି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନରେ ବି-ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଥିଲେ ହରିବାବୁ କମ୍ଭମପତି। ୨୪ ବର୍ଷ ଆନ୍ଧ୍ର ବିଶ୍ବବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରିଥିଲେ। ଛାତ୍ର ନେତା ଭାବରେ ୧୯୭୨ରେ ଜୟ ଆନ୍ଧ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ। ଜରୁରିକାଳୀନ ସ୍ଥିତି ବେଳେ ଗିରଫ ହୋଇ ୬ ମାସ ଯାଇଥିଲେ ଜେଲ୍। ୧୯୭୭ରେ ଆନ୍ଧ୍ରପ୍ରଦେଶରେ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ଥିଲେ। ୧୯୭୮ରେ ଜନତା ଦଳର ଆନ୍ଧ୍ରପ୍ରଦେଶ ଯୁବ ମୋର୍ଚ୍ଚା ଉପସଭାପତି ଥିଲେ ହରିବାବୁ କମ୍ଭମପତି। ୧୯୯୩ରୁ ୨୦୦୩ ଯାଏ ସେ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ। ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଥିଲେ ହରିବାବୁ କମ୍ଭମପତି। ୨୦୧୪ରୁ ୨୦୧୯ ଯାଏ ସାସଂଦ ଥିବା ବେଳେ ବିଭିନ୍ନ ସଂସଦୀୟ କମିଟିର ସେ ସଦସ୍ୟ ରହିଥିଲେ।

ଅନ୍ୟପଟେ ଆଉ ୪ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ। ମିଜୋରାମ ରାଜ୍ୟପାଳ ହେଲେ ପୂର୍ବତନ ସେନାମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ. ସିଂହ । ସେହିପରି ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର କେରଳ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ହୋଇଥିବା ବେଳେ ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି।

 

Spread the love