କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଶରୀରକୁ ସୁସ୍ଥ ରଖିବା ପାଇଁ ଫଳ ଖାଇବାକୁ ପରାମର୍ଶ ଦିଆଯାଏ । ନିଜର ଦୈନନ୍ଦିନ ଖାଦ୍ୟ ସହ ଫଳକୁ ମିଶାଇବାକୁ କୁହାଯାଏ । କାରଣ ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷକ ତତ୍ତ୍ୱ ଫଳରେ ରହିଥାଏ । ଫଳ ଖାଇବା ଦ୍ୱାରା ଆପଣ ଅନେକ ପ୍ରକାର ରୋଗଠାରୁ ଦୂରରେ ରହିବେ । ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅନ୍ୟାନ୍ୟ ଯୌଗିକରେ ଭରପୂର ଫଳ ଗୁଡ଼ିକ, କେବଳ ଭଲ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୁଏ ତାହା ନୁହେଁ, ବରଂ କେତେକ ଫଳକୁ ବହୁ ପୁରୁଣା ରୋଗର ଉପଶମକାରୀ ବୋଲି ମଧ୍ୟ କୁହାଯାଏ ।
କିନ୍ତୁ ଆପଣ ଜାଣନ୍ତି କି ଅଧିକ ଫଳ ଖାଇବା ଦ୍ୱାରା ବି ଆପଣଙ୍କର କ୍ଷତି ହୋଇପାରେ ? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଅଧିକ ଫଳ ଖାଇବା ଦ୍ୱାରା କଣ କ୍ଷତି ହୋଇଥାଏ –
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ନିତିଦିନିଆ ଖାଦ୍ୟରୁ ଆମ ଶରୀରକୁ ଯଥେଷ୍ଟ ପୋଷକ ତତ୍ତ୍ୱ ମିଳିନଥାଏ । ଆମ ଶରୀରକୁ ଯାହା ସବୁ ପୋଷକ ବା ଭିଟାମିନ ଆବଶ୍ୟକ ହୋଇଥାଏ ତାହା ଆମକୁ ଫଳ ସେବନ କରିବା ଦ୍ୱାରା ମିଳିଥାଏ । ତେଣୁ ଲୋକଙ୍କୁ ନିଜ ଖାଦ୍ୟ ତାଲିକାରେ ଫଳ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ । ତେବେ ଫଳ ଶରୀର ପାଇଁ ଭଲ ବୋଲି, ଏହାର ଅର୍ଥ ନୁହେଁ ଯେ ଜଣେ ବ୍ୟକ୍ତି ଦିନ ରାତି ୨୪ ଘଣ୍ଟା ଫଳ ଖାଇବେ । ଏହା ମଧ୍ୟ ଅନେକାଂଶରେ ଶରୀରକୁ କ୍ଷତି କରିଥାଏ । ଆମ ଓଡ଼ିଆରେ ଗୋଟିଏ କଥା ଅଛି, ‘ଅତି ରୁ ଇତି’ । ଠିକ୍ ସେମିତି ଯେକୌଣସି ଜିନିଷକୁ ଆମେ ଅଧିକ ଖାଇବା ତାହା ଖରାପ ହେବ । ଫଳ ଯଦି ଆମେ ଅଧିକ ଖାଇବା ତେବେ ଏହା ଶରୀର ଉପରେ ନାକାରାତ୍ମକ ପ୍ରଭାବ ପକାଇପାରେ ।
ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ, ଅଧିକ ଫଳ ଖାଇବା ଦ୍ୱାରା ରକ୍ତରେ ସୁଗାର ବଢ଼ିଥାଏ । ରକ୍ତରେ ସୁଗାର ବଢ଼ିଲେ ଡାଇବେଟିସ୍ ରୋଗୀଙ୍କ ପାଇଁ ବିପଦ ବଢ଼ିଥାଏ । ଯାହାକି ଚିନ୍ତାର କାରଣ ପାଳଲଟିପାରେ । ଅନ୍ୟପଟେ ଅଧିକ ଫଳ ଖାଇବା ଦ୍ୱାରା ଲିଭର ଉପରେ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ଯଦି ଆପଣ ନିୟମିତ ଅଧିକମାତ୍ରାରେ ଫଳ ଖାଉଛନ୍ତି, ଆଉ ଫଳ ଦ୍ୱାରା ଆପଣଙ୍କ ଲିଭରକୁ ଦୀର୍ଘ ଦିନ ଧରି ଅଧିକ ମାତ୍ରାରେ ଫ୍ରୁକ୍ଟସ୍ ଯାଉଛି, ତେବେ ଏହା ବିପଦ । ଯେତେବେଳେ ଅଧିକ ମାତ୍ରାରେ ଫ୍ରୁକ୍ଟସ୍ ଲିଭରକୁ ଯାଏ, ସେତେବେଳେ ଆପଣ ନନ୍ଆଲ୍କୋହୋଲିକ୍ ଫ୍ୟାଟି ଲିଭର ରୋଗର ଶିକାର ହୋଇପାରନ୍ତି । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି କବିତା ଦେବଗନ ।
ଡାକ୍ତର ଉଦୟ ସାଙ୍ଗଲୋଦକାରଙ୍କ କହିବାନୁଯାୟୀ, ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଓଜନ କମାଇବା ପାଇଁ ଫ୍ରୁଟ୍ ଡାଏଟ୍ ପଦ୍ଧତି ଆପଣାଉଛନ୍ତି । ଏହାକୁ ଦୀର୍ଘ ଦିନ ଧରି ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇନଥାଏ । କାରଣ ଫଳରେ ଫ୍ରୁକ୍ଟସ୍ ଅଧିକମାତ୍ରାରେ ଥାଏ । ଆଉ ଫ୍ରୁକ୍ଟସ୍ ଲିଭରକୁ ଗଲେ ତାହା ମୋଟାପଣ ବଢ଼ାଇଥାଏ । ଏହାସହ ନନ୍ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ ମଧ୍ୟ କରିଥାଏ । କିନ୍ତୁ ଏନେଇ କୌଣସି ପ୍ରକାର ରିପୋର୍ଟରେ ଲେଖାଯାଇ ନାହିଁ । ଅନ୍ୟପଟେ ଅଧିକ ଫଳ ଖାଇବା ଦ୍ୱାରା ଲିଭର ରୋଗ ହୋଇଥିବା ନେଇ କୌଣସି ମାମଲା ସାମ୍ନାକୁ ଆସି ନାହିଁ । କିନ୍ତୁ ଅଧିକ ଫଳ ସେବନ ଦ୍ୱାରା ବିଭିନ୍ନ ପ୍ରକାର ସାଇଡ୍ ଇଫେକ୍ଟ ଦେଖାଯାଏ । ଏହା ପୂର୍ବରୁ ଦେଖିବାକୁ ମିଳିଛି ବୋଲି ଡାକ୍ତର ସାଙ୍ଗଲୋଦକାର କହିଛନ୍ତି ।