102

ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଫାଇନାଲ୍‌ରେ ଭାରତ

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ୧୯ ବର୍ଷରୁ କମ ଏସିଆ କପ୍ ୨୦୨୪ର ଦ୍ଵିତୀୟ ସେମି ଫାଇନାଲ୍‌ରେ ଦମଦାର ପ୍ରଦର୍ଶନ କରିଛି ଭାରତ । ସାରଜାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତ ପକ୍ଷରୁ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ପ୍ରଥମେ ବ୍ୟାଟିଂ କରି ୪୬.୨ ଓଭରରେ ୧୭୩ ରନରେ ଅଲଆଉଟ୍ ହୋଇଥିଲା ଶ୍ରୀଲଙ୍କା । ଜବାବରେ ଭାରତ ୨୧.୪ ଓଭରରେ ୩ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି।  ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ହେଲେ ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲା। ଦଳ ୪୬.୨ ଓଭରରେ ୧୭୩ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଲକବିନ ଅବେୟସିଙ୍ଘେ ୧୧୦ ବଲ୍‌ରୁ ୬୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶାରୁଜନ ୪୨ ରନ କରିଥିଲେ। ଏହା ବାଦ୍ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଭାରତ ପକ୍ଷରୁ ଚେତନ ଶର୍ମା ଶାଣିତ ବୋଲିଂ ୩ଟି ଓ୍ଵିକେଟ୍ ନେଇଥିବା ଆୟୁଷ ମାହତ୍ରେ ଓ କିରଣଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି।

ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ୨୧.୪ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। କ୍ରିକେଟ୍ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବୈଭବ   ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୬ ବଲ୍‌ରୁ ୬ ଚୌକା ଓ ୫ ଛକା ଜରିଆରେ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଆୟୁଷ ମହାତ୍ରେ ୨୮ ବଲ୍‌ରୁ ୭ ଚୌକା ସହ ୩୪ ରନ କରିଛନ୍ତି। ଅଧିନାୟକ ମହମ୍ମଦ ଅମନା ୨୫  ଓ କେପି କାର୍ତ୍ତିକେୟ ୧୧ ରନ କରି ଅପରାଜିତ ଥିଲେ। ଏହି ବିଜୟ ସହ ଭାରତ ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲ୍‌ରେ ପ୍ରବେଶ କରିଛି।

Spread the love