କର୍ତବ୍ୟ ନ୍ୟୁଜ ବ୍ୟୁରୋ: ନ୍ୟାୟ ମିଳିବାରେ ବିଳମ୍ବ ହେଲେ ନ୍ୟାୟ ନମିଳିବା ଭଳି ଅନୁଭବ ହୋଇଥାଏ। ନ୍ୟାୟିକ ବ୍ୟବସ୍ଥାରେ ଗରିବ ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ବାରମ୍ବାର କୋର୍ଟକୁ ଯିବା ପାଇଁ ସେମାନଙ୍କର ଲୋକ ବଳ ଓ ଅର୍ଥ ବଳ ନଥାଏ। ତେଣୁ ଗରିବ ଲୋକମାନେ ଯେଭଳି ସହଜରେ ନ୍ୟାୟ ପାଇପାରିବେ, ସେହିଭଳି ବ୍ୟବସ୍ଥା ହେବା ଦରକାର ବୋଲି ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ ପରିସରକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ମହାମହିମ କହିଛନ୍ତି, ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ। ସାଧାରଣ ଲୋକ ଜାଣିପାରନ୍ତି ନାହିଁ ଯେ, କୋର୍ଟରେ ଓକିଲ କିଭଳି ଯୁକ୍ତି କରୁଛନ୍ତି ଏବଂ ବିଚାରପତି କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଚାର ଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବା ଉଚିତ। କୋର୍ଟ କଚେରିରେ ନ୍ୟାୟ ଆଶାରେ ଯାଇଥିବା ଲୋକ ବହୁବାର ଯାଇଯାଇ ଥକି ପଡ଼ିଥାନ୍ତି। ଲୋକମାନେ ଓକିଲଙ୍କୁ ମନକଥା ମଧ୍ୟ କହିପାରି ନଥାନ୍ତି। ବିଶ୍ବଗୁରୁ ରବୀନ୍ଦ୍ର ନାଥ ଟାଗୋର ତାଙ୍କର କବିତା ମାଧ୍ୟମରେ କହିଛନ୍ତି- ଯେଉଁଠି ବିନା ଭୟରେ ମୁଣ୍ଡ ଟେକି ଯାଇ ହେଉଥିବ, ସେହି ଦିଗରେ ଭାରତ ଅଗ୍ରଗତି କରୁଛି।
ଗାଁ ଗହଳିରେ ଯେତେବେଳେ ଆମେ ପିଲାଥିଲୁ, ଆଇନଜ୍ଞ, ଶିକ୍ଷକ ଓ ଡାକ୍ତରଙ୍କୁ ଭଗବାନ ମନେ କରୁଥିଲୁ। ଏହାର କାରଣ ଆଇନର ପ୍ରତ୍ୟେକ ଧାରା ଏମାନଙ୍କୁ ଜଣା। ସେମାନଙ୍କର ସାଧନାକୁ ସମ୍ମାନ ଦେବା। ଆଇନଜୀବୀମାନଙ୍କର କର୍ତ୍ତବ୍ୟକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ସାଧାରଣ ଲୋକଟିଏ ଯଦି କୌଣସି ସୁବିଧା ପାଏ, ତାହା ବିକଶିତ ଭାରତକୁ ପ୍ରମାଣିତ କରିବ।
ଅଭିଭାଷଣର ଆରମ୍ଭରୁ ରାଷ୍ଟ୍ରପତି କହିଥିଲେ ମହାତ୍ମା ଗାନ୍ଧୀ ନ୍ୟାୟ ପାଇଁ ସଂଘର୍ଷ କରିଥିଲେ। ଏହି ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଖୁସି ଅନୁଭବ କରୁଛି। ଏହି କୋର୍ଟରେ ଏକାଧିକ କାର୍ଯ୍ୟକ୍ରମ ହୋଇପାରିବ। ବିଭିନ୍ନ ମାମଲାର ବିଚାର ହୋଇପାରିବ। ନବନିର୍ମିତ କୋର୍ଟରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।