କର୍ତବ୍ୟ ନ୍ୟୁଜ ବ୍ୟୁରୋ: ମନ୍ତ୍ରୀ ପରିଷଦ ବୈଠକ ଆସନ୍ତା ୨୩ ତାରିଖରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ । ମନ୍ତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ବଜେଟ୍କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ । ୨୫ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ୨୬ରେ ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍କୁ ଉପସ୍ଥାପନ କରିବେ । ତାହା ୫ ତାରିଖରେ ଗୃହିତ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଗାମୀ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଇତ୍ୟାଦି ପ୍ରସଙ୍ଗରେ ବିଧାନସଭା ସରଗରମ ହେବାର ଆଶଙ୍କା ରହିଛି । ଆକ୍ରମଣ-ପ୍ରତି ଆକ୍ରମଣରେ ବେଶ୍ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ବିରୋଧୀ ଯେତିକି ଆକ୍ରମଣ କରିଥିଲେ, ତା’ଠାରୁ ଢେର ଅଧିକ ପାଲଟା ଆକ୍ରମଣ କରିଥିଲେ ସରକାରୀ ଦଳ ।