134

ପାକିସ୍ତାନକୁ ୩-୦ରେ ହରାଇ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଟି-୨୦ ସିରିଜ୍‌ରେ କ୍ଲିନ୍‌ ସୁଇପ୍‌ କରିଛି ଅଷ୍ଟ୍ରେଲିଆ । ପାକିସ୍ତାନକୁ ୩-୦ରେ ହରାଇ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ | ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ ଜିତିବା ପରେ ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ହୋବାର୍ଟରେ ଖେଳାଯାଇଥିଲା ତୃତୀୟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । କିନ୍ତୁ ପାକିସ୍ତାନର ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ଅଷ୍ଟ୍ରେଲିଆ ବୋଲର ଆରୋନ୍‌ ହାର୍ଡି ଓ ଏଡମ୍‌ ଜାମ୍ପାଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ । ଯାହାଫଳରେ ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ମାତ୍ର ୧୧୭ ରନ୍‌ରେ ଅଲଆଉଟ ହୋଇଥିଲା । ଏମିତି କି ପାକିସ୍ତାନର ୭ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଦଳ ପକ୍ଷରୁ ବାବର ଆଜମ ସର୍ବାଧିକ ୪୧ ରନ୍‌ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍‌ ହାର୍ଡି ୩ଟି ଓ ଏଡମ୍‌ ଜାମ୍ପା ଦୁଇଟି ୱିକେଟ୍‌ ଅକ୍ତିଆର କରିଥିଲେ ।

ତେବେ ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ୩୦ ରନ୍‌ ସ୍କୋର ମଧ୍ୟରେ ୨ ୱିକେଟ୍‌ ହରାଇଥିଲା ଅଷ୍ଟ୍ରେଲିଆ । ତେବେ ଜୋଶ୍‌ ଇଂଲିସ୍‌ କିଛି ସମୟ ପାଇଁ କ୍ରିଜ୍‌ରେ ରହିବ ଗୁରୁତ୍ୱପୂର୍ଣ୍ଣ ୨୭ ରନ୍‌ କରିଥିଲେ । କିନ୍ତୁ ଅପରପକ୍ଷେ ମାର୍କସ୍‌ ଷ୍ଟୋଇନିସ୍‌ କିନ୍ତୁ ଧୁଆଁଧାର ବ୍ୟାଟିଂ କରିଥିଲେ । ସେ ମାତ୍ର ୨୩ ବଲ୍‌ରେ ଅର୍ଦ୍ଧଶତକ ଏବଂ ୨୭ ବଲରେ ୬୧ ରନର ଇନିଂସ ଖେଳି ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ କରିଥିଲେ । ଟି -୨୦ ଫର୍ମାଟରେ ପାକିସ୍ତାନ ଦଳର ଅବସ୍ଥା ବର୍ତ୍ତମାନ ବହୁତ ଖରାପ । ଗତ ୯ ଟି -୨୦ ସିରିଜରେ ପାକିସ୍ତାନ ଦଳ କେବଳ ଗୋଟିଏ ସିରିଜ୍‌ରେ ବିଜୟ ଲାଭ କରିଛି । ଗତ ୯ଟି ସିରିଜରେ ପାକିସ୍ତାନ ୬ ଥର ପରାଜୟ ବରଣ କରିଥିବା ବେଳେ ଦୁଇଟି ସିରିଜ୍‌ ଡ୍ର ହୋଇଛି । ଗତ ତିନିବର୍ଷ ମଧ୍ୟରେ ଆଫଗାନିସ୍ତାନ ମଧ୍ୟ ଟି -୨୦ ସିରିଜରେ ପାକିସ୍ତାନକୁ ପରାସ୍ତ କରିଛି ।

Spread the love