134

ଅଙ୍ଗନୱାଡି ଦିଦିଙ୍କ ବହିଷ୍କାର ଦାବିରେ ଅଙ୍ଗନୱାଡିରେ ତାଲା ପକାଇଲେ ଗ୍ରାମବାସୀ

ମୟୁରଭଞ୍ଜ: ରାଜ୍ୟ ସରକାର ଗର୍ଭବତୀ,ପ୍ରସୂତି,କିଶୋରୀ ଓ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଅଙ୍ଗନୱାଡି ଜରିଆରେ ଯୋଗାଇ ଦେଉଥିବା ବେଳେ ଅଙ୍ଗନୱାଡି କର୍ମୀ ପୋଷଣଯୁକ୍ତ ଖାଦ୍ୟକୁ ବଣ୍ଟନ ନକରି ନଷ୍ଟ କରି ଦେଉଥିବା ଅଭିଯୋଗ କରି କର୍ମୀଙ୍କ ବହିଷ୍କାର ଦାବିରେ ଅଙ୍ଗନୱାଡି କେନ୍ଦ୍ରକୁ ତାଲା ପକାଇଲେ ଗ୍ରାମବାସୀ। ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଗଡଦେଉଳିଆ ପଞ୍ଚାୟତର ଶ୍ରୀବତ୍ସପୁର ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ମୂତାବକ ଗ୍ରାମରେ ଥିବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଆସୁଥିବା ପୋଷଣଯୁକ୍ତ ଖାଦ୍ୟ ୪ମାସ ହେଲା କାହାରିକୁ ପ୍ରଦାନ କରାଯାଉନଥିଲା। ଚଳିତ ମାସ ୨୩ ତାରିଖ ହଠାତ୍ କିଛି ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ଖାଦ୍ୟ ବଣ୍ଟନ କରିବା ପାଇଁ ଜଣାଥିଲେ ଅଙ୍ଗନୱାଡି କର୍ମୀ ଶାନ୍ତିଲତା ସିଂ। ସେମାନେ ଆସି ପହଞ୍ଚିବା ପରେ ୪ମାସ ର ଖାଦ୍ୟ ବଦଳରେ ଗୋଟିଏ ମାସର ଖାଦ୍ୟ ଦିଆଯାଇଥିଲା। ଏହାକୁ ପ୍ରତିବାଦ କରି ମହିଳା ମାନେ ଗଡ୍‌ରେଜ୍‌ ଖୋଲି ଦେଖିବାର ପର୍ଯାପ୍ତ ପରିମାଣର ପୋକ ଶାଲୁବାଲୁ ଖାଦ୍ୟ ପ୍ୟାକେଟ ଗଚ୍ଛିତ ଥିବା ଦେଖି ଘଟଣା ସ୍ଥଳରେ ଉତ୍ତେଜନା ଦେଇଥିଲା। ଏହି ବାବଦରେ ଗ୍ରାମବାସୀ ମାନେ ବିଭାଗୀୟ ଉପରିସ୍ଥ ଅଧିକାରୀ ମାନଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସମସ୍ୟାର ସମାଧାନ ପାଇଁ ୨୮ ତାରିଖ ସୋମବାର ଦିନ ସୁପରଭାଇଜରଙ୍କ ଉପସ୍ଥିତରେ ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏକ ବୈଠକ ବସିଥିଲା। ପ୍ରସୂତ ଓ ଗର୍ଭବତୀ ମହିଳା ମାନଙ୍କୁ ଥୁଣ୍ଟେଇବା ଓ ଅନେକ ସମୟରେ କେନ୍ଦ୍ରକୁ ବନ୍ଦ ରଖିବା ଭଳି ଅନେକ ଅଭିଯୋଗ ସୁପରଭାଇଜରଙ୍କ ନିକଟରେ ଫେରାଦ ହେଇଥିଲେ ଗ୍ରାମବାସୀ। ତଥାପି ସମସ୍ୟାର ସମାଧାନ ନ ହୋଇପାରିବାରୁ ସୁପରଭାଇଜରଙ୍କ ଉପସ୍ଥିତରେ ଅଙ୍ଗନୱାଡି କେନ୍ଦ୍ରକୁ ତାଲା ପକାଇ ସୁପରଭାଇଜରଙ୍କୁ ଚାବିକାଠି ଦେଇଥିଲେ ଗ୍ରାମବାସୀ।ବିଭାଗୀୟ ଉପରିସ୍ଥ ଅଧିକାରୀ ମାନେ ଏହି ସମସ୍ୟାର ସମାଧାନ ତୁରନ୍ତ ନ କଲେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

Spread the love