727

ଭାରତୀୟ ବିମାନକୁ ଖାଲିସ୍ଥାନୀ ଆତଙ୍କବାଦୀ ଧମକ

ଭୁବନେଶ୍ବର: ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁଥିବାବେଳେ ପୁଣି ଭାରତୀୟ ବିମାନକୁ ମିଳିଛି ଧମକ । ଏଥର ଅଜଣା ବ୍ୟକ୍ତି ନୁହେଁ ଖଲିସ୍ତାନୀ ଆତଙ୍କବାଦୀ ଦେଇଛନ୍ତି ଧମକ । ଯାହାକୁ ନେଇ ଦେଶରେ ଆରମ୍ଭ ହୋଇଛି ଚର୍ଚ୍ଚା । ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଦେଇଛି ଧମକ । ନଭେମ୍ବର ୧-୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି ଏହି ଖଲିସ୍ତାନୀ ଆତଙ୍କବାଦୀ | ଗତ ବର୍ଷ ମଧ୍ୟ ଏହି ସମୟରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଥିଲା ପନ୍ନୁନ । ଶିଖ୍ ହତ୍ୟାକାଣ୍ଡକୁ ୪୦ତମ ବାର୍ଷିକୀ ଅବସରରେ ଏୟାର ଇଣ୍ଡିଆ ବିମାନରେ ଆକ୍ରମଣ ହୋଇପାରେ ବୋଲି କହିଛି ଆତଙ୍କବାଦୀ ପନ୍ନୁନ । ପନ୍ନୁନ ପାଖରେ କାନାଡା ଓ ଆମେରିକାର ନାଗରିକତ୍ୱ ରହିଛି । ସେ ଶିଖ୍ ଫର୍ ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା। ୨୦୨୦ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ତାକୁ ଆତଙ୍କବାଦୀ ଭାବେ ଘୋଷିତ କରାଯାଇଥିଲା।

କିଛି ଦିନ ହେବ ଭାରତର ଅନେକ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳୁଛି । ଫଳରେ ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କରାଯାଉଛି କଡ଼ାକଡ଼ି । ସପ୍ତାହ ମଧ୍ୟରେ ପାଖାପାଖି ୧୦୦ଟି ଭାରତୀୟ ବିମାନକୁ ବୋମା ଧମକ ମିଳି ସାରିଲାଣି। ଉଡାଣ ଆରମ୍ଭର କିଛି ସମୟ ପରେ ଧମକ ମିଳୁଥିବାରୁ ଜରୁରୀ ଅବତରଣ କରାଯାଇ ଯାଞ୍ଚ କରାଯାଉଛି। ମାତ୍ର ସେପରି କୌଣସି ଆପତ୍ତିଜନକ ସାମଗ୍ରୀ ଠାବ ହେଉ ନାହିଁ। ପରେ ଏସବୁ ଫେକ୍ କଲ୍ ବୋଲି ଜଣାପଡୁଛି । ଏହି କାରଣରୁ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଏସବୁ ମଧ୍ୟରେ ଏୟାର ଇଣ୍ଡିଆ ବିମାନକୁ ନୂଆ ଚେତାବନୀ ଦେଇଛି ପନ୍ନୁନ । ବିମାନରେ ବୋମା ଗୁଜବ ଘଟଣା ବଢି ଚାଲୁଥିବାରୁ ଏହାକୁ ଅତି ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବିଭାଗୀୟ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଡିଜିସିଏ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା । ପରେ ପରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା କରିଥିଲା । କିଛି ଗୁଜବକାରୀଙ୍କ ସମ୍ପର୍କରେ ସୁରାକ ମିଳିଥିଲା । ସେପଟେ ଏ ଘଟଣାକୁ ଦୃଷ୍ଟିରେ ରଖି ବିମାନରେ ସ୍କାଏ ମାର୍ଶାଲଙ୍କ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସାଦା ପୋଷାକରେ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ଥିବା ସ୍କାଏ ମାର୍ଶାଲ ହାଇଜାକ୍ ସମୟରେ ଯାତ୍ରୀଙ୍କୁ ସୁରକ୍ଷା ସହ ଅପହରଣକାରୀଙ୍କୁ ମୁକାବିଲା କରିବେ। ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ଯାତ୍ରୀବାହୀ ବିମାନରେ ସ୍କାଏ ମାର୍ଶାଲ ନିଯୁକ୍ତିର ବ୍ୟବସ୍ଥା ହୋଇଥିଲା।

 

Spread the love